ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜଧାନୀରେ ଆଜି ଗଡୁନି ମୋ ବସ୍‌ । ଦରମା ବୃଦ୍ଧି ସହ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍‌ କର୍ମଚାରୀ । ବର୍ତ୍ତମାନ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି ଡ୍ରାଇଭର । ତେଣୁ ଦରମା ବୃଦ୍ଧି କରାଯାଇ ୧୮ ହଜାର କରାଯାଉ । କେବଳ ଦରମା ନୁହେଁ ଇଏସ ଆଇ , ଇପିଏଫ୍‌ ମଧ୍ୟ ସବୁ କର୍ମଚାରୀ ପାଉନଥିବା ଅଭିଯୋଗ ହୋଇଛି । ଦରମା ବଢ଼ାଇବା ପାଇଁ ଦାବି କଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଛି ଟ୍ରାଭେଲ ଟାଇମ୍ସ । ତେଣୁ ଆଜିଠୁ କାମ ଛାଡି ସମସ୍ତ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି । ଅନ୍ୟପଟେ ଟ୍ରାଭେଲ ଟାଇମ୍ସର କୌଣସି ଅଧିକାରୀ ଏନେଇ ମୁହଁ ଖୋଲିନାହାଁନ୍ତି ।