ପୋଲିସ ପାଖରେ ଆତ୍ମସମର୍ପଣ କଲା କେକେବିଏନ ଡିଭିଜନ କ୍ୟାଡରର ମାଓବାଦୀ

ବଳାଙ୍ଗୀର, (ଏସ୍‌ ନ୍ୟୁଜ୍‌) : ଆତ୍ମସମର୍ପଣ କରିଛି କେକେବିଏନ୍‌ର କ୍ୟାଡର ନକ୍ସଲ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକରଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛି । ଆଇତୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ମନକେଲି ଗାଁରେ । ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସେ ସାମିଲ ହୋଇଥିଲେ । ୨୦୧୩ରେ ତାଙ୍କୁ ସୁନାବେଡ଼ା ଡିଭିଜନ୍‌କୁ ପଠାଯାଇଥିଲା । ସେଠାରେ ଦୁଇ ମାସ ରହିବା ପରେ ସେହି ବର୍ଷ ତାକୁ ବିବିଏମ୍‌ ଡିଭିଜନକୁ ପାର୍ଟି ମେମ୍ବର ଭାବେ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରେ ତାକୁ ୧୨ ବୋର୍‌ ରାଇଫଲ ଦିଆଯାଇଥିଲା । ୨୦୧୬ରେ ତାଙ୍କୁ କେକେବିଏନ୍‌ ଡିଭିଜନ୍‌କୁ ପଠାଗଲା । ୨୦୧୮ରେ ତାଙ୍କୁ କୋଡ଼ଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିରେ ଏସିଏମ୍‌ ପଦବୀକୁ ଉନ୍ନୀତ କରାଯାଇଥିଲା । ଆଇତୁ ବିଭିନ୍ନ ନକ୍ସଲ କାର୍ୟ୍ୟକଳାପରେ ସମ୍ପୃକ୍ତ ଥିଲେ । ୨୦୧୭ ଡିସେମ୍ବର ମାସରେ ଗୋଛାପଡ଼ା ଥାନା ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ, ୨୦୧୯ରେ କୋଡ଼ିଙ୍ଗା ଅଞ୍ଚଳରେ ହୋଇଥିବା ଗୁଳିବିନିମୟ, ୨୦୧୯ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ହୋଇଥିବା କୈଳାସ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣା ଏବଂ ୨୦୨୦ରେ ଖମନଖୋଲ ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ ସହିତ ୨୦୨୧ ଏପ୍ରିଲ୍‌ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍‌ ସହିତ ହୋଇଥିବା ଗୁଳିବିନିମୟ ଘଟଣାରେ ସେ ସମ୍ପୃକ୍ତ ଥିଲେ ।