ରାଜଧାନୀରେ ଦିନକରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜଧାନୀରେ କରୋନା କୋପ କମୁ ନ ଥିବା ବେଳେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ନୂଆ ନୂଆ ଅଞ୍ଚଳରୁ ପୁଳା ପୁଳା ଡେଙ୍ଗୁ ରୋଗୀ ବାହାରୁଥିବା ବେଳେ ଏହା ବିଏମ୍‌ସି ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି।

ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ସାଧାରଣତଃ ଡେଙ୍ଗୁ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରୁହେ। କିନ୍ତୁ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍‌ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ହେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍‌ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଏମ୍‌ସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି।