ଢେଙ୍କାନାଳ, (ଏସ୍ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ବାହାଘର ବେଳେ ଘଟିଛି ଏକ ଅଭାବନୀୟ ଅଘଟଣ । ବାହାଘର ପାଇଁ କନ୍ୟା ହେଉଥିଲା ସଜବାଜ । କିନ୍ତୁ ବେକରେ ଲାଗିଲା ପିନ୍ଧା ଲୁଗାର ଫାଶୀ । ମୃତକ ସେହି ଗ୍ରାମର ସସ୍ମିତା ନାଏକ ବୋଲି ଜଣାପଡିଛି । ନିଜ ଘର ଫ୍ୟାନରେ ବେକରେ ପିନ୍ଧା ଲୁଗା ଲଗାଇ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ହିନ୍ଦୋଳରୋଡ଼ ଫାଣ୍ଡି ପୋଲିସ ।
ସେପଟେ ବିବାହ ପାଇଁ ଥିବା ବର ଚମ୍ପଟ ମାରିଛି । ଫେରାର ଥିବା ବର ବା ଯୁବକ ଜଣଙ୍କ ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ପୁକୁଟୁଙ୍ଗା ଗ୍ରାମର ସିଲୁ ବେହେରା । ସିଲୁର ସସ୍ମିତାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ତେବେ ବିବାହ ପାଇଁ ଜିଦ ଧରିବାରୁ ଦିନ ଗଡାଇ ଚାଲିଥିଲା ସିଲୁ । ବୁଝାସୁଝା ପରେ ସିଲୁ, ସସ୍ମିତାର ଘରେ ଆସି ଗତ ଏକ ମାସ ଧରି ରହିଥିଲା । ଉଭୟଙ୍କ ପ୍ରେମ ବିବାହ ପାଇଁ ସଜବାଜ ଚାଲିଥିଲା । ମାତ୍ର କିଛି ସମୟ ପୂର୍ବରୁ ସିଲୁ ଚମ୍ପଟ ମରିଥିବାବେଳେ ସେପଟେ କନ୍ୟା ସସ୍ମିତାର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଏପରିସ୍ଥଳେ ସସ୍ମିତାର ପରିବାର ପକ୍ଷରୁ ତାଙ୍କ ଝିଅକୁ ମାରି ଟାଙ୍ଗିଦେଇ ସିଲୁ ପଳାଇଥିବା ଅଭିଯୋଗ ଉଠାଇଛନ୍ତି । ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।