ପୁଣେ : ମହାରାଷ୍ଟ୍ରର ନାସିକରେ ଶିବରାଜ ଡାୱରେ ନାମକ ଏକ ୨ ବର୍ଷର ଶିଶୁ ବିରଳ ଜିନ ରୋଗରେ ପୀଡିତ । ଚିକିତ୍ସା ପାଇଁ ଆବଶ୍ୟକ ଥିଲା ପ୍ରଚୁର ଟଙ୍କା । ଏମିତିକି ତାଙ୍କୁ ଏକ ଦାମୀ ଇଞ୍ଜେକସନ ମଧ୍ୟ ଦେବାକୁ ଡାକ୍ତର କହିଥିଲେ ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା । ଏହା ଶୁଣିବା ପରେ ଶିବରାଜଙ୍କ ପିତା-ମାତାଙ୍କ ପକ୍ଷେ ସମ୍ଭବ ନୁହେଁ । ତେବେ ବର୍ତ୍ତମାନ ତାଙ୍କ ପାଇଁ ସହାୟତାର ହାତ ବଢାଇଛି ଆମେରିକାର ଏକ କମ୍ପାନୀ ।
ସୂଚନା ଅନୁଯାୟୀ, ୨ ବର୍ଷର ଶିଶୁ ଶିବରାଜ ବିରଳ ସ୍ପାଇନାଲ ମସ୍କୁଲାର ଏଟ୍ରୋଫୀ ରୋଗରେ ପୀଡିତ । ମଧ୍ୟବିତ୍ତ ପରିବାରର ହୋଇଥିବାରୁ ଏତେ ଟଙ୍କା ଯୋଗାଡ କରିବାକୁ ଅକ୍ଷମ ହୋଇଥିଲେ ଶିବରାଜଙ୍କ ପିତା-ମାତା । ପ୍ରାରମ୍ଭିକ ଚିକିତ୍ସା ପରେ ଶିଶୁକୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ନ୍ୟୁରୋଲୋଜିଷ୍ଟ ଡାକ୍ତର ବ୍ରଜେଶ ଆଦାନୀ । ଶିବରାଜଙ୍କ ଜୀବନ ବଞ୍ଚାଇବା ପାଇଁ ବିଶ୍ୱର ସବୁଠାରୁ ଦାମୀ ଇଞ୍ଜେକସନ ‘ଜୋଲଗେନ୍ସମା’ ଦେବାକୁ କହିଥିଲେ । ଏହାର ଦାମ ୧୬ କୋଟି ଟଙ୍କା ଥିବାରୁ ଏତେ ବଡ ରାଶି ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଆମେରିକାର ଏକ ଫାର୍ମ ଦ୍ୱାରା ଲକି ଡ୍ରରେ ଭାଗ ନେବାକୁ କୁହାଯାଇଥିଲା । ଯାହା ମାଧ୍ୟମରେ ଏହି ଇଞ୍ଜେକସନ ମାଗଣାରେ ମିଳିପାରିବ ବୋଲି କହିଥିଲେ ଚିକିତ୍ସା କରୁଥିବା ଡାକ୍ତର ବ୍ରଜେଶ ଆଦାନୀ । ପରେ ଶିବରାଜଙ୍କ ପିତା ବିଶାଳ ଡାୱରେ ଏଥିରେ ଭାଗ ନେଇଥିଲେ ଏବଂ ଲକି ଡ୍ର ବିଜେତା ମଧ୍ୟ ଘୋଷିତ ହୋଇଥିଲେ । ଯାହା ଫଳରେ କମ୍ପାନୀ ପକ୍ଷରୁ ତାଙ୍କୁ ମଗଣାରେ ସେହି ଦାମୀ ଇଞ୍ଜେକସନ ଦିଆଯିବାକୁ ଘୋଷଣା କରାଯାଇଥିଲା ।