ଅକ୍ଟୋବରରେ ଭାରତ-ପାକିସ୍ତାନ ଲଢ଼େଇ

ଦୁବାଇ: ଦୁଇ ବର୍ଷର ବ୍ୟବଧାନରେ ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ୟୁଏଇରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏଥିପାଇଁ ତାରିଖ ମଧ୍ୟ ଘୋଷଣା ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ହେଭିୱେଟ ମ୍ୟାଚ୍ ଅକ୍ଟୋବର ୨୪ ତାରିଖ ହେବ। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ଭାରତ ଓ ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ଟିମ୍ ମଧ୍ୟ ରହିଛନ୍ତି। ତେବେ ବାକି ଦୁଇ ଟିମ୍ କ୍ୱାଲିଫିକେସନ୍ ପରେ ଜଣାପଡ଼ିବ। ଏହା ପୂର୍ବରୁ ଜୁଲାଇ ୧୬ ତାରିଖରେ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍‌ର ଘୋଷଣା କରିଥିଲା। ଗ୍ରୁପ୍-୨ରେ ଭାରତ ଓ ପାକିସ୍ତାନକୁ ରଖାଯାଇଥିଲା। ଶେଷଥର ପାଇଁ ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ। ଏବେ ପୁଣିଥରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିବାରୁ ଫ୍ୟାନଙ୍କ ମଧ୍ୟରେ ଏବେଠାରୁ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।