ଭୋପାଳ: ପ୍ରବଳ ବର୍ଷାରେ ମଧ୍ୟପ୍ରଦେଶରେ ସ୍ଥିତି ସଙ୍ଗିନ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ପ୍ରାୟ୧୨୦୦ ଗାଁ ପ୍ରଭାବିତ ହୋଇଛି । ଏବେ ସୁଦ୍ଧା ୫,୯୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆର୍ମି, ଏନଡିଆରଏଫ, ବିଏସଏଫ ଏବଂ ରାଜ୍ୟର ଅନ୍ୟ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏବେ ପାଖାପାଖି ୨ ହଜାର ଲୋକ ଜଳ ଘେରରେ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଶିବରାଜ ସିଂହ ଚୌହାନଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ଏଭଳି ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଯଥାସମ୍ଭବ ସହାୟତା କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ଅମିତ ଶାହା ।