ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡି ଗ୍ରାମ ଜାମୁପଶି ସାହିରେ ଏକ ହୃଦୟବିତାରକ ଘଟଣା ଘଟିଛି । ପୋଖରୀରେ ଝିଅ ବୁଡି ଯାଉଥିବାବେଳେ ମାଆ ଉଦ୍ଧାର କରିବାକୁ ଯାଇ ଉଭୟ ବୁଡି ଯାଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, ବାସୁଦେବ ନାୟକଙ୍କ ପତ୍ନୀ ପଦୀ (୪୨) ବିଲ କାମ ସାରି ଗାଧୋଇବା ପାଇଁ ଘର ପାଖ ପୋଖରୀକୁ ଯାଇଥିଲେ । ସାଙ୍ଗରେ ୬ବର୍ଷର ଝିଅ ଶୁଭଦ୍ରା ଥିଲା । ତେବେ ଶୁଭଦ୍ରାର ଗୋଡ ଖସି ଯାଇ ପାଣିରେ ବୁଡି ଯାଇଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ ପାଣିରେ ବୁଡି ଯାଇଥିଲେ । ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମାଆ ଓ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣିଥିଲା । ତେବେ ଉଭୟ ମାଆ ଓ ଝିଅ ମୃତ୍ୟୁ ବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ ।