ପ୍ରେମ-ପ୍ରତାରଣା ଆଉ ଶେଷରେ ହତ୍ୟା

ହାଇଦ୍ରାବାଦ: ପ୍ରେମ ପରେ ପ୍ରତାରଣା ଆଉ ଶେଷରେ ହତ୍ୟା । ଦୀର୍ଘ ଦିନଧରି ଶାରିରୀକ ସଂପର୍କ ରଖିବା ପରେ ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ । ଏପରି ଘଟଣା ଘଟିଛି ହାଇଦ୍ରାବାଦରେ । ସୂଚନା ଅନୁସାରେ, ମୃତ ପ୍ରେମିକା ଜଣକ ବୱେଲ୍‌ପାଲି କଲେଜର ପ୍ରଥମ ବର୍ଷର ଛାତ୍ରୀ ଏବଂ ହତ୍ୟାକାରୀ ପ୍ରେମିକ ଜଣଙ୍କ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର । ଘଟଣା ଦିନ ନାବାଳିକା ଜଣକ ସକାଳ ୧୦ଟାରେ ଘରୁ ବାହାରି ଯାଇଥିଲା । ହେଲେ ଆଉ ଫେରିନଥିଲା । ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଭାବିଲେ ଯେ, ସେ ସାଙ୍ଗ ଘରେ ରହିଯାଇଥିବ । କିନ୍ତୁ ଝିଅଟିର ସାଙ୍ଗକୁ ହତ୍ୟାକାରୀ ପ୍ରେମିକ ଦୀପକ ସବୁ ଘଟଣା ବିଷୟରେ କହିଥିବା ଜଣାପଡ଼ିଥିଲା । ପୋଲିସ ଦୀପକ ବିଷୟରେ ସୁରାକ୍‌ ପାଇ ତାକୁ ସିକନ୍ଦରାବାଦରୁ ଗିରଫ କରିଛି । ଗିରଫ ପରେ ପୋଲିସ୍‌କୁ ଦୀପକ ଘଟଣା ଘଟାଇଥିବା ରେଲୱେ ଟ୍ରାକ ପାଖକୁ ନେଇଥିଲା । ସେଠାରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଛି । ଦୀପକ ଦେଇଥିବା ବୟାନ ଅନୁସାରେ ସେ ନାବାଳିକା ସହିତ ୧ ବର୍ଷଧରି ରିଲେସନସିପରେ ରହିଥିଲା । ପରେ ତାକୁ ଅଣଦେଖା କରିବାକୁ ଲାଗିଲା । ଏହି ସମୟରେ ପ୍ରେମିକା ବିବାହ କରିବାକୁ କହିବାରୁ ସେ ତା ଠାରୁ ଜିନିଷ ପତ୍ର ଚୋରି କରି ତାକୁ ଟ୍ରେନ ଆଗକୁ ଠେଲି ଦେଇଥିଲା । ତେବେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।