ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ସବୁ ଭାରତୀୟ ଖେଳାଳିଙ୍କ ପାଇଁ ଗୋଟିଏ ଚା’ ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିରେ ଯୋଗଦେବା ପାଇଁ ସେ ସବୁ ଖେଳାଳିଙ୍କୁ ନିମନ୍ତ୍ରଣ କରିଛନ୍ତି । ‘ହାଇ ଟି’ ନାମରେ ରାଷ୍ଟ୍ରପତି ଭବନର ସାଂସ୍କୃତି କେନ୍ଦ୍ରରେ ଶନିବାର ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହ ସେମାନଙ୍କୁ ଶୁଭେଚ୍ଛା ଜଣାଇବେ । ଏଥିରେ ଦେଶର ପ୍ରଥମ ମହିଳା ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି । ଅଗଷ୍ଟ ୧୪ରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଭାରତୀୟ ଖେଳାଳିମାନେ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ । ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ । ଏଥିପାଇଁ ମୋଦି ନିଜେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ଚଳିତ ଅଲିମ୍ପିକ୍ସରେ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରି ୭ଟି ପଦକ ଜିତିଛି । ସୋମାବାର ଭାରତୀୟ ଦଳ ସ୍ୱଦେଶ ଫେରିବା ପରେ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଜରିଆରେ ସବୁ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।