କୋର୍ଟ ସ୍ଥାନାନ୍ତର ବେଳେ ଦେଇଥିବା ପ୍ରତିଶୃତି ରକ୍ଷା କରୁନାହାନ୍ତି ଜିଲା ଜଜ୍‌ : ଓକିଲଙ୍କ ଆନ୍ଦୋଳନ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱରରେ ଅବସ୍ଥାପିତ ନେୱାନୀ ଓ ଫୌଜଦାରୀ କୋଟର ୬୦ନଂ ଜାତୀୟ ରାଜପଥ କଡକୁ ସ୍ଥାନାନ୍ତର ବେଳେ ବାଲେଶ୍ୱର ଜିଲା ଜଜ୍‌ ଓ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଦୀର୍ଘମାସ ଧରି ପାଳନ ହେଉନଥିବାରୁ ଜଳେଶ୍ୱର ଓକିଲ ସଂଘ ଆନ୍ଦୋଳନ କରି ଆସୁଛି । ୬୦ନଂ ଜାତୀୟ ରାଜପଥ କଡକୁ ସ୍ଥାନାନ୍ତର ହୋଇଥିବା କୋର୍ଟ ଗୁଡିକକୁ ଆସୁଥିବା ଜନସାଧାରଣଙ୍କ ଲାଗି ପିଇବା ପାଣି, ବସିବାର ବ୍ୟବସ୍ଥା, ଯାତାୟାତଲାଗି ମୋ ବସ୍‌ ଚଳାଚଳ, ଫାଣ୍ଡି, ଶୌଚାଳୟ, କ୍ୟାଣ୍ଟିନ୍‌, ଫୁଟ ଓଭରବ୍ରିଜ୍‌ର ପ୍ରତିଶୃତି ଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢି ଚାଲିଛି । ଏ ସବୁକୁ ଲକ୍ଷ୍ୟକରି ଓକିଲ ସଂଘ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଫଳରେ ସେମାନେ ଗେଟଫାଟକ ବନ୍ଦ କରି ଆନ୍ଦୋଳନ କରି ଆସୁଛନ୍ତି । ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।