ଡାକ୍ତର ନିଯୁକ୍ତି ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱର ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟନ୍ତ ଘଟଣାରେ କଂଗ୍ରେସ ଦଳ ପକ୍ଷରୁ ଉଚ୍ଚ କର୍ମକର୍ତ୍ତା ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୂଚନା ଅନୁଯାୟୀ ଆଜି ଜିକେ ଭଟ୍ଟର ଡାକ୍ତରଖାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଏକ ସତ୍ୟାଗ୍ରହ ଭଳି ଗଣଧାରଣା ଦିଆଯାଇଥିଲା । କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବ୍ଳକ ସଭାପତି ରାଜୀବ ପରିଡା, ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ, ନଗର ସଭାପତି ଗିରିଜା ଶଂକର ଦାସ, କିଷାନ ସଭାପତି ସୁଦାମ ପାତ୍ର, ହେମନ୍ତ ଗିରି, ଜଗଦୀଶ ନନ୍ଦି, ସୁଶାନ୍ତ ଦେ, ରାଧାରାଣୀ ପାତ୍ର, ସବିତା ଗିରି, ସପନ ଜେନାଙ୍କ ନେତୃତ୍ୱରେ ଆଜି କ୍ରାନ୍ତି ଦିବସ ଅବସରରେ ସତ୍ୟାଗ୍ରହ ହୋଇଥିବାରୁ ଜନସମର୍ଥନ ମିଳିଥିଲା । ୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲେବ୍ରଟାରୀ ଟେକ୍‌ନିସିଆନ୍‌ ଓ ଅନ୍ୟବହୁ କର୍ମଚାରୀ ନିଯୁକ୍ତି ଦାବୀ ତଥା ଜିଆର୍‌ଏସ୍‌, ଆର୍‌କେଏସ୍‌ ଅର୍ଥର ସୁ-ବିନିଯୋଗ ସହିତ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ମଂଗଳ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଇତ୍ୟାଦି ଦାବି ନେଇ ଆନ୍ଦୋଳନ ହୋଇଥିଲା । ଅପରାହ୍ନରେ ବାଲେଶ୍ୱରର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ୍‌ ଜଗଦେବ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାକାରୀ ମୃତ୍ୟଞ୍ଜୟ ମିଶ୍ର, ଡିପିଏମ୍‌ ଅନୀଲ କୁମାର ମହାନ୍ତି, ଭଟ୍ଟର ହସ୍‌ପିଟାଲର ଭାରପ୍ରାପ୍ତ ଡାକ୍ତର ଦିଲ୍ଲିପ କୁମାର ପାତ୍ର, ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରଶିକ୍ଷଣ ପାଇଥିବା ପାଇଥିବା ଟେକ୍‌ନିସିଆନ୍‌, ଆର୍‌କେଏସ୍‌, ଜିକେଏସ୍‌ର ପୁନଃର୍ଗଠନ, ମିଳୁଥିବା ସରକାରୀ ଅର୍ଥର ସଦୋପଯୋଗ, ଶବ ବ୍ୟବଚ୍ଛେଦ ଲାଗି ମେହେନ୍ତର ନିଯୁକ୍ତି, ମହାପ୍ରଣାୟ ଗାଡିର ବ୍ୟବସ୍ଥା ସହିତ ଶିଶୁ ମାତୃ ମଂଗଳ କେନ୍ଦ୍ର ଦୀର୍ଘବର୍ଷ ଧରି ନିର୍ମାଣ ହୋଇ ପଡିରହିଥିବାରୁ ଏହାକୁ କାର୍ଯ୍ୟକ୍ଷମ କରିବାଲାଗି ଆଲୋଚନା ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ପକ୍ଷରୁ ଜଳେଶ୍ୱରରେ ନିର୍ମାଣ ହେବାକୁ ଥିବା ଅସ୍ଥାୟୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । କେତେକ ବିଷୟରେ ମୁଖ୍ୟ ଚିକିତ୍ସାଧିକାରୀ ଅକ୍ଷମତା ପ୍ରକାଶ କରିଥିବା ବେଳେ ଅତିଶୀଘ୍ର ମାତୃ ଶିଶୁ ମଂଗଳ କେନ୍ଦ୍ରକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧ ମାସ ମଧ୍ୟରେ ବିଭିନ୍ନ ଦାବି ପୂରଣ ହେବା ଏବଂ ସମସ୍ତ କାର୍ଯ୍ୟରେ କଂଗ୍ରେସ ସହାୟତା କାରିବା ସିଦ୍ଧାନ୍ତ ହେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏଥିରେ ବିଜୟ ଘୋଷ, ଜୟନ୍ତ ଘୋଷ, ସୁପ୍ରଭା ଗିରି, ଉଷାରାଣୀ ଗିରି, କଳ୍ପନା ଗିରି, ସରସ୍ୱତୀ ଗିରି, କବିତା ଗିରି ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।