ବିରୋଧ ପରେ ଇଣ୍ଡୋନେସିଆ ମହିଳା କ୍ୟାଡେଟଙ୍କ କୁମାରୀତ୍ୱ ପରୀକ୍ଷା ବନ୍ଦ ହେଲା

ଇଣ୍ଡୋନେସିଆ: ପ୍ରବଳ ବିରୋଧ ପରେ ଇଣ୍ଡୋନେସିଆ ସେନାରେ ମହିଳା କ୍ୟାଡେଟଙ୍କ ପାଇଁ ଥିବା କୁମାରୀତ୍ୱ ପରୀକ୍ଷା ବନ୍ଦ କରିଦିଆଯାଇଛି । ଏହି ନିୟମକୁ ବିରୋଧ କରାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ଇଣ୍ଡୋନେସିଆ ସେନା । ଏନେଇ ଇଣ୍ଡୋନେସିଆ ସେନା ମୁଖ୍ୟ ସ୍ପଷ୍ଟ କରିଛନ୍ତି । ସୂଚନା ଥାଉକି ଇଣ୍ଡୋନେସିଆ ସେନାରେ ଏଭଳି ଏକ ନିୟମ ପ୍ରଚଳିତ ହୋଇଆସୁଥିଲା । ଏହି ନିମୟ ମୁତାବକ ସେନାରେ ଯୋଗଦେବାକୁ ଚାହୁଁଥିବା ମହିଳାମାନଙ୍କର ସମସ୍ତ ପରୀକ୍ଷା ସହ ସେମାନଙ୍କ କୁମାରୀତ୍ୱି ପରୀକ୍ଷା କରାଯାଉଥିଲା । ଏହି ନିୟମକୁ ନେଇ ଇଣ୍ଡୋନେସିଆ ସେନା ଯୁକ୍ତି ରଖୁଥିଲା କି ପ୍ରାର୍ଥୀମାନଙ୍କର ନୈତିକତା ନିଶ୍ଚିନ୍ତ କରିବାକୁ ଏଭଳି ପରୀକ୍ଷା କରାଯାଉଛି । ଏଭଳି ଅଜବ ନିୟମ ବିରୋଧରେ ଇଣ୍ଡୋନେସିଆର ଜନସାଧାରଣ ସହିତ ଅନ୍ତର୍ଜାତୀୟ ସ୍ତରରେ ବିରୋଧ ଜାରି ରହିଥିଲା । ଏହି ବିରୋଧକୁ ସମ୍ମାନ ଜଣାଇ ସେନା ପକ୍ଷରୁ ଏଭଳି ପରୀକ୍ଷା ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଭଳି ନିୟମ ସଂପର୍କରେ ନ୍ୟୁୟର୍କ ଭିତ୍ତିକ ମାନବ ଅଧିକାର ସଂସ୍ଥା ହ୍ୟୁମାନ ରାଇଟ୍‌ ୱାଚ୍‌ ପକ୍ଷରୁ ୨୦୧୪, ୨୦୧୫ ଓ ୨୦୧୭ ରେ ତଦନ୍ତ କରାଯିବା ପରେ ଏହାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା ।