ଦୁଇବର୍ଷର ପରିଶ୍ରମ ଚୁର୍‌ମାର: ହେଲିକପ୍ଟର ଟେଷ୍ଟିଂ ବେଳେ ଚାଲିଗଲା ଜୀବନ

ପୁଣେ : ମହାରାଷ୍ଟ୍ର ଫୁଲସାୱଙ୍ଗୀ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଦୁଇବର୍ଷ ଧରି ପରିଶ୍ରମ କରି ହେଲିକପ୍ଟର ତିଆରି କରିଥିଲେ ଶେଖ୍‌ ଇସ୍ମାଇଲ । ଯାହାର ନାଁ ଥିଲା ମୁନ୍ନା ହେଲିକପ୍ଟର । ଏହାକୁ ସମ୍ପୂର୍ଣ୍ଣ ଭାବେ ତିଆରି କରିବା ପରେ ଏହା ନିଶ୍ଚୟ ଉଡିବ ଏବଂ ୨ ବର୍ଷ ଧରି ଦେଖିଥିବା ସ୍ୱପ୍ନ ପୂରଣ ହେବ । ହେଲିକପ୍ଟରକୁ ଟେଷ୍ଟିଂ କରୁଥିବା ସମୟରେ ହଠାତ୍‌ ହେଲିକପ୍ଟରର ପଛରେ ଲାଗିଥିବା ଏକ ପଙ୍ଖା ଭାଙ୍ଗି ଯାଇଥିଲା । ଏହାର ଭଗ୍ନାଂଶ ହେଲିକପ୍ଟରର ବଡ ପଙ୍ଖାରେ ଯାଇ ବାଜିବା ପରେ ଏହା ଖଣ୍ଡ ବିଖଣ୍ଡିତ ହୋଇ ମୁନ୍ନାଙ୍କ ମୁଣ୍ଡରେ ବାଜିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମୁନ୍ନାଙ୍କର ମୃତ୍ୟୁ ଘଟିଥିଲା । ମୁନ୍ନାଙ୍କ ମୃତ୍ୟୁରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମାତ୍ର ୮ମ ପାସ କରିଥିବା ସେଖ ଇସ୍ମାଇଲ ଓରଫ ମୁନ୍ନା ମାତ୍ର ୨୪ ବର୍ଷ ବୟସରେ ନିଜସ୍ୱ ଜ୍ଞାନକୌଶଳରେ ତିଆରି କରିଥିଲେ ଏକ ହେଲିକପ୍ଟର । ଦିନରେ ଏକ ଗ୍ୟାରେଜ୍‌ରେ କାମ କରୁଥିଲେ ଏବଂ କାମରୁ ଆସିବା ପରେ ନିଜ ସ୍ୱପ୍ନର ହେଲିକପ୍ଟର ତିଆରି କରିବାରେ ଲାଗିପଡନ୍ତି । ସ୍ୱପ୍ନ ଥିଲା ଜଣେ ପାଇଲଟ ହେବା ପାଇଁ । ଭବିଷ୍ୟତ ସିନା ଅନ୍ଧାର ହୋଇଯାଇଥିଲା କିନ୍ତୁ ସ୍ୱପ୍ନ ଦେଖିବା ଛାଡିନଥିଲେ ମୁନ୍ନା । ତାଙ୍କର ଲକ୍ଷ୍ୟ ଥିଲା ଯଦି ସଫଳତାର ସହ ଏହି ୬ ମିଟର ଲମ୍ବ ହେଲିକପ୍ଟର ଉଡାଣ ଭରେ ତେବେ ସେ ଏହାକୁ ୩୦ ଲକ୍ଷ ଟଙ୍କାର ବିକ୍ରି କରିବେ ଏବଂ ଆଗାମୀ ମିଶନ ପାଇଁ ପ୍ରସ୍ତୁତ ହେବେ କିନ୍ତୁ ସେ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ହିଁ ରହିଗଲା ।