ଆଠଗଡ଼, (ଏସ୍ ନ୍ୟୁଜ): ଆଠଗଡ଼ରେ ଅନେକ ଅନୁଷ୍ଠାନ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି । ତେଣୁ ଆଠଗଡ଼ ର ବରପୁତ୍ର ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନାମରେ ଆଠଗଡ଼ ଇନଡୋର ଷ୍ଟାଡିୟମ କୁ ନାମିତ କରିବାକୁ ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ଏଭଳି ହେଲେ ଡଃ ରଥ ଙ୍କ ଜନ୍ମ ମାଟି ଆଠଗଡ଼ ରେ ପୂଜ୍ୟପୂଜା ର ପ୍ରକୃତ ଉଦାହରଣ ସୃଷ୍ଟି ହେବା ସହିତ ରାଧାନାଥ ରଥଙ୍କୁ ଭଲପାଉଥିବା ବିଜୁ ବାବୁଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କୁହାଯାଇଛି । ଏଥିସହିତ ଓଡ଼ିଶାର ଯେଉଁ ଜାଗାରେ ଇନଡୋର ଷ୍ଟାଡିୟମ ହେବାକୁ ଯାଉଛି, ସେହି ଅଞ୍ଚଳର ବରପୁତ୍ର ତଥା ଆଧୁନିକ ଓଡ଼ିଶାର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷ ମାନଙ୍କ ନାମରେ ନାମିତ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି । ଆଠଗଡ଼ ବିକାଶ ପରିଷଦ ଅଧ୍ୟକ୍ଷ ରାମନାରାୟଣ ମହାନ୍ତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳ ଅଜାମ୍ୱର ମହାନ୍ତି ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ଼ ବିକାଶ ପରିଷଦ ର ଉପଦେଷ୍ଟା ବିକ୍ରମ କେଶରୀ ଦାଶ, ପ୍ରସାଦ ମାଝୀ, ଅରୁଣ କୁମାର ମହାନ୍ତି, ସୁବାସ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ଜେନା, ରାଜେନ୍ଦ୍ର ନାରାୟଣ ମହାପାତ୍ର,ଜ୍ଞାନ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।