ନୂଆଦିଲ୍ଲୀ : ସ୍ୱାଧିନତା ଦିବସ ଅବସରରେ ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।ପରେ ଲାଲକିଲ୍ଲାରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ସେ ବଳିଦାନ ଦେଇଥିବା ସମସ୍ତ ମହାନ ମହାନାୟକଙ୍କୁ ସମ୍ମାନ ଜଣାଇ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ମୋଦି ତାଙ୍କର ସମ୍ବୋଧନରେ କହିଛନ୍ତି ଯେ, ସମାଜରେ ଯେପରି କେହି ବିକାଶରୁ ବଞ୍ଚିତ ନହୁଅନ୍ତୁ ତାହା ଆମର ଉଦ୍ଦେଶ୍ୟ । ଏଥିପାଇଁ ମେଡିକାଲ ଶିକ୍ଷାରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଯୋଗାଯୋଗରେ ବ୍ୟାପକ ପ୍ରସାର ହୋଇଛି । ଜାମ୍ମୁ କାଶ୍ମୀରର ପୁନର୍ଗଠନ ପରେ ସେଠାରେ ବିକାଶ ଆରମ୍ଭ ହୋଇଛି । ଦେଶରେ ୧୧୦ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ ହୋଇଛି । ଏହି ଜିଲ୍ଲା ଗୁଡ଼ିକ ଅନ୍ୟ ଜିଲ୍ଲା ସହ ସମକକ୍ଷ କରିବାକୁ ପ୍ରୟାସ କରାଯାଉଛି । ଏହି ପଛୁଆ ଜିଲ୍ଲା ଗୁଢିକରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କକୁ ଅଧିକ ପ୍ରାଥମିକତା ଦିଆଯାଉଛି ।