ଭାରତକୁ ଋଷ ଦେବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ଋଷ ପ୍ରସ୍ତୁତ କରିଥିବା ବିଶ୍ୱର ପ୍ରଥମ କରୋନା ଟିକା ‘ସ୍ପୁଟନିକ-ଭି’ ଖୁବଶୀଘ୍ର ଭାରତ ଆସିବାକୁ ଯାଉଛି। ଭାରତୀୟ ଫାର୍ମା କମ୍ପାନୀ ଡ. ରେଡ୍ଡି ଲାବୋରେଟୋରିଜକୁ ୧୦ କୋଟି ଟିକା ପ୍ରଦାନ କରିବ ଋଷ। ଏନେଇ ଆଜି ଘୋଷଣା ହୋଇଛି।

ଭାରତର ବୈଶ୍ୱିକ ମାନ୍ୟତାପ୍ରାପ୍ତ ଫାର୍ମା କମ୍ପାନୀ ଡ. ରେଡ୍ଡି ଲାବୋରେଟୋରିଜ ସହ ‘ସ୍ପୁଟନିକ-ଭି’ ଟିକାର ପରୀକ୍ଷଣ ଏବଂ ବିତରଣ ନେଇ ଚୁକ୍ତି କରିଛି ଋଷ ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି(ଆରଡିଆଇଏଫ)। ଭାରତରେ ଔଷଧ ନିୟନ୍ତ୍ରକଙ୍କ ମାନ୍ୟତା ମିଳିବା କ୍ଷଣି ହିଁ ୧୦ କୋଟି ଡୋଜ ଟିକା ଋଷୀୟ ସଂସ୍ଥା ଭାରତକୁ ପ୍ରଦାନ କରିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ଭାରତରେ ପହଞ୍ଚିଯିବ ବୋଲି ଜଣାପଡ଼ିଛି।

‘ସ୍ପୁଟନିକ-ଭି’ ଟିକା ଋଷର ଗାମାଲେୟା ବିଜ୍ଞାନ ଗବେଷଣା ସଂସ୍ଥାନ ଏବଂ ଆରଡିଆଇଏଫ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଛି। ଗତ ଅଗଷ୍ଟ ୧୧ ତାରିଖରେ ଏହାର ପଞ୍ଜୀକରଣ ହୋଇଥିଲା। ୭୬ ଜଣଙ୍କୁ ଏହି ଟିକା ପ୍ରଥମେ ପ୍ରଦାନ କରାଯାଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ଏପରିକି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିଙ୍କ ଝିଅଙ୍କୁ ମଧ୍ୟ ଏହି ଟିକାର ଡୋଜ ପ୍ରଦାନ କରାଯାଇଥିଲା।

ପୂର୍ବରୁ ମଧ୍ୟ ନିତି ଆୟୋଗ ସଦସ୍ୟ ଥିବା ଡ. ଭିକେ ପୌଲ କହିଥିଲେ କି ‘ସ୍ପୁଟନିକ-ଭି’ ଟିକାର ଉତ୍ପାଦନ ନେଇ ଋଷ ଭାରତର ସାହାଯ୍ୟ ଚାହୁଁଛି। ଏହାସହ ଏହାର ଷ୍ଟେଜ ୩ ପରୀକ୍ଷଣ ଭାରତରେ କରିବା ନେଇ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି। ଗତକାଲି ଆଇସିଏମଆର ଡିଜି ବଳରାମ ଭାର୍ଗବ ମଧ୍ୟ ଏହି ଟିକାର ସଫଳତା ଉପରେ ଆଲୋକପାତ କରିଥିଲେ। ହାଇଲେବଲ୍ କମିଟି ଏନେଇ ଋଷ ସହ ସମ୍ପର୍କରେ ଥିବା ସେ ଜଣାଇଥିଲେ।