କଟକ,(ଏସ୍ ନ୍ୟୁଜ): ଶିକ୍ଷାବର୍ଷ ୨୦୨୦-୨୧ରେ ଅଫ୍ଲାଇନ୍ରେ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇଛି। ଅଫ୍ଲାଇନ୍ ପରୀକ୍ଷାରେ ମୋଟ୍ ୫୨୩୩ ଜଣ ଅର୍ଥାତ ୮୦.୮୩ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ଅଛନ୍ତି। ଅଫ୍ଲାଇନ୍ ପରୀକ୍ଷାରେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ତେବେ କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ଅଫ୍ଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ବଢ଼ିଥିବା ବେଳେ ୪୫୯ ଜଣଙ୍କର ନମ୍ବର କମିଛି। ତେବେ ଅଫ୍ଲାଇନ୍ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ରି-ଚେକିଂ ପାଇଁ ଛାତ୍ରଛାତ୍ରୀ ପୁଣି ଥରେ ଆବେଦନ କରିପାରିବେ।