କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବାନ୍ଧିଲା ରତ୍ନଗିରି ପୁଲିସ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡ଼ିଛି । ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ଶିବେସନା ପକ୍ଷରୁ ୪ଟି ମାମଲା ରୁଜୁ କରାଯାଇଥିଲା। ଏତଲା ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି ନାସିକ ପୁଲିସ ।
କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଏହି ମନ୍ତବ୍ୟ ପରେ ନାଶିକ ଠାରୁ ମୁମ୍ବାଇ ଯାଏ ସବୁଆଡ଼େ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି ମଙ୍ଗଳବାର ନାରାୟଣ ରାଣେଙ୍କ ଜୁହୁ ସ୍ଥିତି ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ଏପରି କି ପୁଲିସ ମଧ୍ୟ ଉଭୟ ଗୋଷ୍ଠୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏସବୁ ଭିତରେ ରତ୍ନଗିରି ପୁଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଛି। ପ୍ରଥମେ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି ।

ସୂଚନାେଯାଗ୍ୟ ସୋମବାର ରାୟଗଡ଼ ଜିଲ୍ଲାରେ ଜନଆଶିର୍ବାଦ ଯାତ୍ରା କାଳରେ ମହା ବିକାଶ ଅଗାଢି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଷଣକୁ ପ୍ରସଙ୍ଗ କରିଥିଲେ। ସେ କହିଥିଲେ ଯେ ଦେଶ ସ୍ୱାଧୀନତାକୁ କେତେ ବର୍ଷ ପୁରିଲା ଆମ ମୁଖ୍ୟମନ୍ତ୍ରୀଙ୍କୁ ଜଣା ନାହିଁ। ଭରା ସଭାରେ ପଛକୁ ବୁଲି ପଚାରୁଥିବା ଦେଖା ଯାଇଥିଲା। ଏହାଠୁ ଅଧିକ ଲଜ୍ଜାଜନକ ଆଉ କଣ ହୋଇପାରେ । ଯଦି ସେଠାରେ ମୁଁ ଥାନ୍ତି କଷିକି ଚାପୁଡେ ପକାଇଥାନ୍ତି ବୋଲି ରାଣେ କହିଥିଲେ।