ବଢ଼ୁଛି ନକଲି ସାମ୍ୱାଦିକଙ୍କ ଉତ୍ପାତ, ସାବାଡ଼ କରିବ ପୋଲିସ

ଭୁବନେଶ୍ୱର: ଓଡିଶାରେ ବଢ଼ୁଛି ନକଲି ସାମ୍ୱାଦିକଙ୍କ ଉତ୍ପାତ। କେତେବେଳେ ଅପହରଣ ତ ଆଉ କେତେବେଳେ ଦାଦାବଟି ଆଦାୟ କରୁଛନ୍ତି। ଆଉ କେତେବେଳେ ବେଆଇନ କାମ ଧରାଇଦେବାକୁ ଧମକ ଦେଇ ବଡ଼ବଡ଼ିଆଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏପରି ଅଭିଯୋଗ ପ୍ରତିଦିନ ସାମ୍ନାକୁ ଆସୁଛି। ଜଣକ ପରେ ଜଣେ ନକଲି ୱେବ ପୋର୍ଟାଲ ସାମ୍ବାଦିକ ଧରାପଡ଼ି ଜେଲ୍‌ ଯାଉଛନ୍ତି। ବେଳ ଥାଉଥାଉ ସରକାର ସତର୍କ ନହେଲେ ନକଲି ୱେବ ପୋଟାର୍ଲ ସାମ୍ୱାଦିକଙ୍କ ଉତ୍ପାତ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

କୋରାପୁଟ ଜିଲ୍ଲା ବୈପାରୀଗୁ଼ଡାର ବିଶ୍ୱବିଜୟୀ ୱେବ୍‌ ପୋର୍ଟାଲର ସାମ୍ବାଦିକ ହେଉଛନ୍ତି ହେମନ୍ତ ଟାକ୍ରି। ସମାଜ ପ୍ରତି ଜଣେ ସାମ୍ବାଦିକର ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ଏହି ବ୍ୟକ୍ତି ଜଣକ ଚଳାଇଥିଲେ ବେଆଇନ୍ ଗଞ୍ଜେଇ କାରବାର। ସେ ମାଲକାନଗିରି ଜିଲ୍ଲା ଝରିଆଗୁଡ଼ାଠାରେ ମଙ୍ଗଳବାର ପୁଲିସର ଯାଞ୍ଚକୁ ଭେଦି ଗଞ୍ଜେଇ ଭର୍ତ୍ତି ଗାଡି ନେବାକୁ ଉଦ୍ୟମ କରୁଥିଲେ। ତାଙ୍କ ସହ ୫ ଜଣ ଯୁବକ ମଧ୍ୟ ଥିଲେ। ସମସ୍ତଙ୍କୁ ଗୋଡାଇ ଗୋଡାଇ ଧରିଛି ପୁଲିସ।