ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ମାନସ ଦାସ : ବିଜେପି

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜଧାନୀ ଉପକଂଠ ଖୋର୍ଦ୍ଧା ଜିଲ୍ଲାରେ ଦୀର୍ଘ ୧୫-୧୬ ବର୍ଷ ଧରି ମାନସ ଦାସଙ୍କର ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚର ଅନ୍ଧାରି ଶାସନ ଚାଲିଛି । ଗତ ୨୦୧୮ ମସିହାରେ ଶାସକ ବିଜେଡିର ମୁଖିଆ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳରେ ମାନସ ଦାସଙ୍କୁ ସାମିଲ କରି ଦଳିତ ଆଦିବାସୀ ଜାତିର ଭୋଟକୁ ନିଜ ସପକ୍ଷରେ ନେବାର ଚକ୍ରାନ୍ତରେ ସମର୍ଥ ହୋଇଛନ୍ତି ।
ବର୍ତମାନ ଏହି ଅପରାଧ ସାମ୍‌୍ରାଜ୍ୟର ଖଳନାୟକ ମାନସ ଦାସଙ୍କୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ ଅଭିଯୋଗ କରିଛନ୍ତି ।
ସଂଗଠନରେ ଯୋଗ ଦେଉଥିବା ସଦସ୍ୟମାନଙ୍କଠାରୁ ନିଜ ସଂଗଠନ ପାଇଁ ମାନସ ଦାସ ଚାନ୍ଦା ସଂଗ୍ରହ କରୁଥିଲେ । ସରଳ ନିଷ୍କପଟ ଦଳିତ ଆଦିବାସୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇ ନିଜ ସଂଗଠନରେ ସାମିଲ କରାଉଥିଲେ ଏବଂ ଏହି ସଂଗଠନ ଶାସକ ବିଜେଡି ପାଇଁ ଭୋଟ ବ୍ୟାଂକର ଆୟୁଧ ହୋଇଛି ବୋଲି ଶ୍ରୀ ତରାଇ ଅଭିଯୋଗ କରିଛନ୍ତି ।
କଙ୍ଗାରୁ କୋର୍ଟ ଜରିଆରେ ସରଳ ଦଳିତ ଆଦିବାସୀମାନଙ୍କୁ ଅତ୍ୟାଚାର କରୁଥିବା ଅପରାଧ ସାମ୍ରାଜ୍ୟର ଖଳନାୟକ ମାନସ ଦାସ ଅର୍ଥ ରୋଜଗାର କରିବା ପାଇଁ ବହୁ ବେନିୟମ କାରବାରରେ ସଂପୃକ୍ତଥିବାର ଅଭିଯୋଗ ଆସିଛି । ମାନସ ଦାସଙ୍କ ସଂଗଠନର ସଦସ୍ୟମାନେ ବ୍ରାଉନ ସୁଗାର ଓ ଗୋଚାଲାଣ ଭଳି କାରବାରରେ ସଂପୃକ୍ତ ରହି ବ୍ୟାପକ ମାତ୍ରାରେ ଅର୍ଥ ରୋଜଗାର କରୁଛନ୍ତି । ମିଶନାରୀରୁ ପର୍ଯ୍ୟାପ୍ତ ପରିମାଣ ଅର୍ଥ ଆଣି ଦଳିତ ଆଦିବାସୀମାନଙ୍କୁ ଧମକ ଓ ଭୟଭୀତ କରାଇ ଧର୍ମାନ୍ତୀକରଣ କରୁଛନ୍ତି । ଏପରିକି ରୀତି ଓ ନୀତି ଜଳାଞ୍ଜଳୀ ଦେଇ ଶୁଦ୍ଧିକ୍ରିୟା କାର୍ଯ୍ୟ ନକରିବା ପାଇଁ ହିନ୍ଦୁମାନଙ୍କୁ ଧମକ ଓ ମାଡ ମାରୁଛନ୍ତି । ‘ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ – ଶପଥ ପାଠ’ ନାମରେ ଏକ ଲିଫଲେଟ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ମାନସ ଦାସ ଏବଂ ତାଙ୍କ ସଂଗଠନର ବିଦ୍ୱେଷ ଭାବ ଏହି ଲିଫଲେଟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ଶ୍ରୀ ତରାଇ କହିଛନ୍ତି ।
ଗତ ମଙ୍ଗଳାବର ଦିନ ଶ୍ରୀ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା କଡବା ପଂଚାୟତର ବିଭିନ୍ନ ଗ୍ରାମ ଯାଇ ବାସ୍ତବ ସ୍ଥିତି ପରଖି ଦେଖିଥିଲେ ।ସଂଗଠନର କାର୍ଯ୍ୟ ନକରିବାରୁ ମାନସ ଦାସଙ୍କ ନିର୍ଦ୍ଦେଶରେ କଡବା ପଂଚାୟତ ଅନ୍ତର୍ଗତ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ବିଷୟରେ ବାହାରେ ପ୍ରଘଟ ନକରିବା ପାଇଁ ସ୍ୱର୍ଗତଃ ସତ୍ୟବ୍ରତ ନାୟକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅର୍ଥ ଲୋଭ ସହ ଧମକ ମଧ୍ୟ ମାନସ ଦାସ ଟେଲିଫୋନ ଦ୍ୱାରା ଦେଇଥିଲେ ବୋଲି ତାଙ୍କ ବିଧବା ପତ୍ନୀ ପ୍ରକାଶ କରିଥିବାର ଶ୍ରୀ ତରାଇ କହିଛନ୍ତି । ସେହିପରି କଡବା ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ମାନସ ଦାସଙ୍କ ସଂଗଠନର ୨୫ରୁ ଉର୍ଦ୍ଧ ସଦସ୍ୟ ମାଡ ମାରି ବହୋସ କରିଥିଲେ ଏବଂ ତା ପରଦିନ ଘଟଣା ପ୍ରସଙ୍ଗରେ ବାହାରେ କିମ୍ବା ପୋଲିସରେ ଏତଲା ନଦେବା ପାଇଁ ଧମକ ଦେଇଥିଲେ । ମାନସ ଦାସଙ୍କ ଦ୍ୱାରା ପରିଚାଳିତ କଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ସେହି ଗ୍ରାମର ସୁମନ୍ତ ସ୍ୱାଇଁଙ୍କ ସମେତ ବହୁ ଗ୍ରାମବାସୀ ନିଜ ଭିଟାମାଟି ଛାଡି ଅନ୍ୟ ଗ୍ରାମରେ ଆଶ୍ରୟ ନେଉଛନ୍ତି । ସେହିପରି ଦଧିମାଛଗଡିଆ ଗ୍ରାମର ଲାଲୁ ପ୍ରଧାନ ହତ୍ୟାକାଣ୍ଡରେ ମାନସ ଦାସ ଏବଂ ତାଙ୍କ ସଂଗଠନର ପ୍ରତ୍ୟକ୍ଷ ସଂପୃକ୍ତି ଥିବାର ଅଭିଯୋଗ ଶୁଣିବାକୁ ମିଳିଥିଲା । ଯଦିଓ ଉକ୍ତ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇସାରିଛି, ତଥାପି ପୁନଃ ତଦନ୍ତର ଆବଶ୍ୟକ ରହିଛି ବୋଲି ଶ୍ରୀ ତରାଇ କହିଛନ୍ତି ।
ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି ନା ନାହିଁ କହି ଖୋର୍ଦ୍ଧା ଏସପି ମାନସ ଦାସଙ୍କୁ ଗଳବାଟ ଦେଇ ଖସାଇ ଦେବାର ଚକ୍ରାନ୍ତ କରୁଥିବାର ଅନୁମାନ କରାଯାଉଛି ବୋଲି ଶ୍ରୀ ତରାଇ ଅଭିଯୋଗ କରିଛନ୍ତି ।
ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରଶାନ୍ତ ନନ୍ଦଙ୍କ ସମେତ ଶାସକ ବିଜେଡିର ବହୁ ତୁଙ୍ଗ ନେତାମାନେ ମାନସ ଦାସଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରୁଥିଲେ । ଗଣମାଧ୍ୟମରେ ଏହା ପ୍ରକାଶିତ ହେବା ପରେ ଶାସକ ବିଜେଡିର ପ୍ରବକ୍ତାମାନେ ‘ଆଇନ ତା ବାଟରେ ଯିବ’ ବୋଲି କହି କର୍ତବ୍ୟ ଶେଷ କରିଛନ୍ତି । ଶାସକ ବିଜେଡିର ସଦସ୍ୟ ହୋଇଥିବା ଅପରାଧୀ ମାନସ ଦାସଙ୍କୁ ବର୍ତମାନ ସୁଦ୍ଧା ମୁଖିଆ ତଥା ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ଦଳରୁ ବହିଷ୍କାର କରିନାହାନ୍ତି ?
ଅପରାଧ ସାମ୍ରାଜ୍ୟର ଖଳନାୟକ ମାନସ ଦାସଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କଣ ଅସାଧୁ ସଂପର୍କ ରହିଛି ? ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି ? ଏହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଶ୍ରୀ ତରାଇ ଦାବୀ କରିଛନ୍ତି ।
ଦଳିତ ଆଦିବାସୀଙ୍କ ସୁରକ୍ଷା ପାଇଁ ମାନବବାଦୀ ସଂଗଠନ ଆଡୁଆଳରେ ମାନସ ଦାସଙ୍କ ଅସାମାଜିକ ଅପରାଧିକ କାର୍ଯ୍ୟ ବିରୁଦ୍ଧରେ ଏବଂ ମାନସ ଦାସଙ୍କ ଗିରଫ ଦାବୀରେ ବିଜେପି ଅନୁସୁଚିତ ଜାତି ଓ ଜନଜାତି ମୋର୍ଚ୍ଚା ତରଫରୁ ଆସନ୍ତା କାଲିଠୁ ୨ ଦିନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ତରାଇ ସୁଚନା ଦେଇ କହିଛନ୍ତି ।
ଏହି ଅବସରରେ ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ତଥା ବିଧାୟକ ଡ.ମୁକେଶ ମହାଲିଙ୍ଗ ଏବଂ ଅନୁସୁଚିତ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।