ଖୋର୍ଦ୍ଧା ରେଡ ଜୋନ୍‌ରେ : ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଖୋର୍ଦ୍ଧା: ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା । ଜନସଂଖ୍ୟା, ପ୍ରବାସୀ ଓ ଅଧିକ ଟେଷ୍ଟିଂ ପାଇଁ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଏଥିରେ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ତୃତୀୟ ଲହର ପୂର୍ବରୁ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ ଶିଶୁଙ୍କ ସୁରକ୍ଷା ନେଇ ନିୟମ କଡ଼ାକଡ଼ି ପାଳନ କରିବା ଉପରେ ଜୋର ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା।

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ। ଦୈନିକ ଲୋକଙ୍କ ସମାଗମ ବଢୁଛି। ଟେଷ୍ଟିଂ ବଢୁଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରେଡ ଜୋନ୍‌ ଚିହ୍ନଟ ହେବା ପରେ ମୁକାବିଲା ଜୋରଦାର କରାଯାଇଛି । ଏଯାଏ ଡେଲଟା ଭାରିଏଣ୍ଟ ଭୟ ଟଳିନି। ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ଭୟ ଥିବାରୁ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସଫଳତା ସହ ଟିକାକରଣ ଚାଲିଥିବା ବେଳେ ନକଲି ଟିକା ଚିନ୍ତା ବଢାଉଛି । ହେଲେ ଓଡ଼ିଶାରେ ଏଯାଏ ନକଲି ଟିକା ଦୃଷ୍ଟିକୁ ଆସିନଥିବା ଆଶ୍ୱସ୍ତି ଆଣିଛି ।