ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍ ମୃତ୍ୟୁର ଘୋଷଣା ଆରମ୍ଭ କଲେ । ଦୈନିକ ୩୦ ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍ ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୬୦ ପାର୍ କରିଥିଲା । ସରକାରଙ୍କ ଯୁକ୍ତି ଥିଲା ଯେ ବିଭିନ୍ନ କାରଣ ପାଇଁ ଅଡିଟ୍ ହୋଇପାରି ନ ଥିବା କୋଭିଡ୍ ମୃତ୍ୟୁଏବେ ଘୋଷଣା କରାଯିବ । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଯେତିକି କରୋନା ମୃତ୍ୟୁ ଘୋଷଣା ବାକି ରହିଯାଇଛି, ତାହା ଜୁଲାଇ ଶେଷ ଆଡ଼କୁ ସରିଯିବ ।କିନ୍ତୁ ଅଗଷ୍ଟ ମାସ ଶେଷ ହୋଇଯାଇଛି, ହେଲେ ବଳକା କୋଭିଡ୍ ମୃତ୍ୟୁ ପୂର୍ବଭଳି ଜାରି ରହିଛି । ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ୍ ମୃତ୍ୟୁ ଇତି ମଧ୍ୟରେ ୮ ହଜାର ୯୨ରେ ପହଂଚିଛି । କୋଭିଡରେ ୮ହଜାର ମୃତ୍ୟୁ ହୋଇଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୧୬ ନମ୍ବର ସ୍ଥାନରେ ରହିଛି । କେବଳ କରୋନାର ଦ୍ୱିତୀୟ ଲହରରେ ଏବେ ସୁଦ୍ଧା ରାଜ୍ୟରେ ୬୨୬୯ରୁ ଉର୍ଦ୍ଧ୍ୱ ଲୋକଙ୍କ କରୋନାରେ ମୃତ୍ୟୁ ହେଲାଣି । ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ସରକାରୀ ଭାବେ ୧୮୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ରାଜ୍ୟ ସରକାର ଡ଼ାଟା ମେନିପୁଲେସନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ତଥ୍ୟ ଅନୁଯାୟୀ, ୨୦୧୯ରେ ଓଡିଶା ସରକାର ୩,୪୨,୯୪୭ ମୃତ୍ୟୁ ପଞ୍ଜିକରଣ କରିଥିବାବେଳେ ୨୦୨୦ ରେ ଏହା ୩, ୬୨, ୯୮୨ ଥିଲା । ୨୦୨୦ ରେ ୨୦,୦୦୦ ରୁ ଅଧିକ ମୃତ୍ୟୁ ହୁଏତ କୋଭିଡ଼ -୧୯ ଦ୍ୱାରା ହୋଇଛି , କିନ୍ତୁ ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ଏହା ସହ ମେଳ ଖାଉନି । ୨୦୨୦ ମସିହାରେ ରାଜ୍ୟ ସରକାର କେବଳ ୧୮୭୬ କୋଭିଡ଼ ମୃତ୍ୟୁ ଘୋଷଣା କରିଥିବାବେଳେ ୨୦୨୧ ମସିହାରେ ଏପର୍ଯ୍ୟନ୍ତ ୬୨୬୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା ସମାନ ସମୟ ପାଇଁ ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ଗୁଣ ଥିଲା । ସେହି ଚାରି ମାସରେ ସାରା ରାଜ୍ୟରେ ୧,୫୦,୦୦୦ ମୃତ୍ୟୁ ପଞ୍ଜିକୃତ ହୋଇଥିବାବେଳେ କେବଳ ୧,୩୫୬ କୋଭିଡ଼ ମୃତ୍ୟୁକୁ ସରକାର ସ୍ୱୀକାର କରିଛନ୍ତି । ଗତକାଲି (୧୧ ସେପ୍ଟେମ୍ବର୨୦୨୧) ସୁଦ୍ଧା ଓଡିଶାରେ ୧୦,୧୫, ୭୧୩ କୋଭିଡ ସଂକ୍ରମଣ ମାମଲା ନିଶ୍ଚିତ ହୋଇଛି ଯାହା ଭାରତର ମୋଟ ମାମଲାର ୩.୦୫% ଥିଲା । ତେବେ, ୪.୨ କୋଟି ଜନସଂଖ୍ୟା ପାଇଁ ମହାମାରୀ ଆରମ୍ଭରୁ ସରକାରୀ ମୃତ୍ୟୁ ସଂଖ୍ୟା ହେଉଛି ୮,୧୪୫ ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୧.୮୩%, ଓଡ଼ିଶା ସରକାର କ’ଣ ଏମିତି ପଦକ୍ଷେପ ନେଲେ ଯେ ସବୁ ପରେ ବି ପାଖାପାଖି ବର୍ଷେ ହେଲା ପ୍ରତିଦିନ ମୃତ୍ୟୁ ସଂଖ୍ୟା ୧୨-୧୭ ରହୁ ଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ) ଶୁଣାଣି ବେଳେ ମାନ୍ୟବର ଓଡିଶା ହାଇକୋର୍ଟ ଏକ ସରକାରୀ ସତ୍ୟପାଠରେ ଅନେକ ଅସଙ୍ଗତି ଦର୍ଶାଇଥିଲେ । ରାଜ୍ୟର ମୋଟ ୨,୮୪୯ ଆଇସିୟୁ ଶଯ୍ୟା ମଧ୍ୟରୁ କଟକ ଏବଂ ଖୋର୍ଦ୍ଧା ଦୁଇଟି ଜିଲ୍ଲାରେ ୧,୩୭୮ଟି ଆଇସିୟୁ ରହିଛି । ରାୟଗଡା, ମାଲକାନଗିରି ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ କେବଳ ୧୦ ଟି ଆଇସିୟୁ ଶଯ୍ୟା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଶାରେ ଦୁର୍ବଳ ସ୍ୱାସ୍ଥ୍ୟ ଭିର୍ତିଭୂମି ଥିବାରୁ ଓଡିଶାବାସୀ ଉନ୍ନତ ମାନର ଚିକିତ୍ସାରୁ ବଂଚିତ ରହୁଛନ୍ତି ।
୨୧ ବର୍ଷର ଲମ୍ବା ଶାସନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ନିଜ ଉଦ୍ୟମରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ ହୋଇନାହିଁ । ବର୍ତର୍ମାନ କେନ୍ଦ୍ର ସରକାରଙ୍କ ୯୨୦କୋଟି ଟଙ୍କା ସହାୟତାରେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତିିଭୂମିକୁ ସଦୃଢ଼ କରିବାର ସଫେଇ ଦେଇ ଏହି କ୍ଷେତ୍ରରେ ୮ ହଜାର କୋଟି ନିବେଶ ହେଉଛି ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଏହି ୮୫୦୦ କୋଟି ଟଙ୍କା କିପରି ବିନିଯୋଗ କରିବେ ତାହା ଏବେ ସନ୍ଦେହରେ । ୮୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କର କୌଣସି ଯୋଜନା ଅଛି ନାହିଁ ?ସିଏଜି ୨୦୧୯-୨୦ ରିପୋର୍ଟ ଅନୁସାରେ, କୋଣାର୍କରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମଞ୍ଜୁର ହୋଇଥିବା ୫.୯୬ କୋଟି ଟଙ୍କା ମୂଲ୍ୟର ଅପବ୍ୟବହାର କରାଯାଇଛି । ଅନୁରୂପ ଭାବରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) ଦ୍ୱାରା ଔଷଧ ଏବଂ ଚିକିତ୍ସା ଉପକରଣ ଅଧିଗ୍ରହଣରେ ୪.୧୮ କୋଟି ଟଙ୍କାର ଅପବ୍ୟବହାର ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଆଜି ସାରା ଦେଶ ଓ ରାଜ୍ୟ ମାନେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଏହି ଲହର ଆମର ଶିଶୁ ମାନଙ୍କୁ ବିଶେଷ ପ୍ରଭାବିତ କରିପାରେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସ୍ଥାୟୀ ଶଯ୍ୟା ସଂଖ୍ୟା ବାସ୍ତବିକ କେତେ ବଢିଛି ? ଆଦିବାସୀ ଅଧ୍ୟଷିତ ଜିଲ୍ଲା ମାନଙ୍କରେ ଆଇସିୟୁ ଶଯ୍ୟା କେତେ ବଢିଛି ? କେତୋଟି ସଦର ମହକୁମାରେ ଜଞଚଉଜ ପରୀକ୍ଷାଗାର କିମ୍ବା ନମୁନା ସଂଗ୍ରହ ବ୍ୟବସ୍ଥା ହୋଇ ସାରିଛି?କେତୋଟି ଡାକ୍ତରଖାନାରେ ନିଜସ୍ୱ ଅକ୍ସିଜେନ ପ୍ଳାଂଟର ବ୍ୟବସ୍ଥା ହୋଇ ସାରିଲାଣି ? ଭୁବନେଶ୍ୱର ଛାଡ଼ି ରାଜ୍ୟରେ ଅନ୍ୟ ଜାଗାରେ ଔଷଧ ରଖିବାର ବ୍ୟବସ୍ଥା ହୋଇଛି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
କମ୍ୟୁନିଟି ହେଲଥ୍ ସେଂଟର(ଗ୍ରାମୀଣ)ରେ ୩୭୭ ଶିଶୁ ବିଶେଷଜ୍ଞ ପଦବୀ ସଂଖ୍ୟା ଥିବା ସମୟରେ ମାତ୍ର ୫୫ଜଣ ନିଯୁକ୍ତ ହୋଇଛନ୍ତି, ଏବେ ବି ୩୨୨ଟି ପଦବୀ ଖାଲି ପଡିଛି । କମ୍ୟୁନିଟି ହେଲଥ୍ ସେଂଟର(ଆଦିବାସୀ ଅଂଚଳରେ) ଶିଶୁ ବିଶେଷଜ୍ଞ ପଦବୀ ସଂଖ୍ୟା ୧୩୪ ଥିବାବେଳେ ମାତ୍ର ୧୭ ଜଣ ନିଯୁକ୍ତ ହୋଇଛନ୍ତି । ଏବେ ବି ୧୧୭ ଟି ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ କେବେ ରାଜ୍ୟ ସରକାର ପୂରମ କରିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
Prev Post
Next Post