ଆଜି ଭାରତ ବନ୍ଦ, ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚକାଜାମ୍‌

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ଏହି ଭାରତ ବନ୍ଦ ପାଳନ ହେବ ବୋଲି ଚାଷୀ ସଙ୍ଗଠନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି । ଚାଷୀ ସଙ୍ଗଠନଗୁଡ଼ିକର ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଏଏପି, ବାମ ଦଳ, ଆର୍‌ଜେଡ଼ି ଓ ତେଲୁଗୁ ଦେଶମ ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନ ସମର୍ଥନ କରୁଥିବାରୁ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରେ । ଭାରତ ବନ୍ଦ ସମୟରେ ସରକାରୀ ଓ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଶିଳ୍ପ କାରଖାନା, ଦୋକାନ ବଜାର ଆଦି ବନ୍ଦ ରହିବା ସହ ସାରା ଦେଶରେ ଗାଡ଼ି ମୋଟର ଚଳାଚଳ ବନ୍ଦ କରାଯାଇ ଚକାଜାମ୍‌ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ । ହସ୍ପିଟାଲ, ଔଷଧ ଦୋକାନ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ କେହି ବି ବାଧା ଦେବନି । ଜରୁରୀ କାମରେ ନିୟୋଜିତ ଲୋକଙ୍କୁ ମଧ୍ୟ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେ । ଭାରତ ବନ୍ଦ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ମୋର୍ଚ୍ଚା କହିଛି । ଆମ୍ବୁଲାନ୍ସ ସେବା ପୂୂର୍ବଭଳି ଜାରି ରହିବ ।