ଭୁବନେଶ୍ୱର: ରାଜଧାନୀରେ ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇଛି। ଦୁଇ ଦିନ ପୂର୍ବେ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ରାଜଧାନୀର ବହୁ ବଜାର ତଥା ହାଟରେ ୫୦ ଟଙ୍କାରେ ବିକ୍ରି ହୋଇଛି । ଅଚାନକ ଭାବେ ଏଭଳି ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ହଠାତ୍ ପିଆଜ ବଜାରରେ ଲାଗିଥିବା ନିଆଁ ଗରିବ ଖାଉଟିଙ୍କ ଉପରେ ନିର୍ଘାତ ପ୍ରହାର କରିଛି । ମହାରାଷ୍ଟ୍ର, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ଦର ବଢ଼ିଛି ବୋଲି ବ୍ୟବସାୟୀ ମହଲରୁ ସଫେଇ ଦିଆଯାଉଥିଲେ ହେଁ ଏହା ପଛରେ ବଡ଼ବଡ଼ ପାଇକାରୀ ବେପାରୀଙ୍କ ଲାଭଖୋର୍ ମନବୃତ୍ତି ହିଁ ଦାୟୀ ବୋଲି ଜଣାପଡ଼ିଛି ।