ପ୍ରଥମ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କଲା ଆରସିବି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଚଳିତ ଆଇପିଏଲ ସିଜିନରେ ନିଜର ପ୍ରଥମ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଗତକାଲି ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ୧୦ ରନରେ ହରାଇଛି ବିରାଟ କୋହଲିଙ୍କ ଟିମ୍।

ଟସ ଜିତି ପ୍ରଥମେ ଆରସିବିକୁ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଥିଲେ ଏସଆରଏଚ ଅଧିନାୟକ ଡେଭିଡ଼ ୱାର୍ଣ୍ଣର। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଦେଭଦୂତ ପାଡ଼ିକଲ ୫୬ ରନ ଏବଂ ଆରୋନ ଫିଞ୍ଚ ୨୯ ରନ ଲେଖାଁଏ ସ୍କୋର କରିବା ଆରସିବିକୁ ଭଲ ଆରମ୍ଭ ପ୍ରଦାନ କରିଥିଲା। ଅଧିନାୟକ କୋହଲି ମାତ୍ର ୧୪ ରନ କରି ଆଉଟ ହୋଇଥିଲେ ହେଁ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ୫୧ ରନର ପାଳି ସାହାଯ୍ୟରେ ଦଳ ଏସଆରଏଚ ପାଇଁ ୧୬୩ ରନର ଟାର୍ଗେଟ୍ ସେଟ କରିଥିଲା।

ଏସଆରଏଚ ପାଇଁ ପାଳି ଆରମ୍ଭ କରିବାକୁ ଆସି ମାତ୍ର ୬ ରନ କରି ରନ ଆଉଟ ହୋଇଥିଲେ ଡେଭିଡ଼ ୱାର୍ଣ୍ଣର। ଯାହା କି ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ପରେ ମନିଷ ପାଣ୍ଡେ ଏବଂ ଜନି ବେୟାରଷ୍ଟୋ ଆରସିବି ବୋଲରଙ୍କୁ ପ୍ରବଳ ପ୍ରହାର କରିଥିଲେ। ଯୁଜଭେନ୍ଦ୍ର ଚହଲଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ ମନିଷ ପାଣ୍ଡେ(୩୪ ରନ୍)। ଏହା ପରେ ବି ବେୟାରଷ୍ଟୋଙ୍କ ଉପସ୍ଥିତି ଯୋଗୁଁ ଦଳ ଭଲ ସ୍ଥିତିରେ ଥିଲା। ତେବେ ଚହଲଙ୍କ ଆଉ ଏକ ମ୍ୟାଜିକ୍ ଓଭର ଖେଳକୁ ସମ୍ପୂର୍ଣ୍ଣ ବଦଳାଇଦେଲା। ଲଗାତାର ଦୁଇଟି ଗୁଗଲିରେ ବୋଲ୍ଡ ହୋଇଥିଲେ ବେୟାରଷ୍ଟୋ(୬୧) ଏବଂ ବିଜୟ ଶଙ୍କର(୦)। ପରେ ଦଳର ଅନ୍ୟ କୌଣସି ଖେଳାଳି କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ। ଜିତିବାକୁ ୧୦ ରନ୍ ବାକି ଥାଇ ଦଳ ଅଲଆଉଟ ହୋଇଥିଲା।

ଅଷ୍ଟ୍ରେଲିୟ ଅଲରାଉଣ୍ଡର ମିଚେଲ ମାର୍ଶ ମାତ୍ର ୪ଟି ବଲ୍ ପକାଇ ଆହତ ହେବା ଏସଆରଏଚକୁ ବେଶୀ କ୍ଷତି ପହଞ୍ଚାଇଥିଲା। ସେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ପ୍ରଥମ ବଲରେ କ୍ୟାଚ୍ ଆଉଟ ହୋଇ ଫେରିଥିଲେ। ଅନ୍ୟପଟେ ଗତଥର ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଆରସିବି ଏଥର ବିଜୟ ବାନା ଉଡ଼ାଇ ସିଜନ ଆରମ୍ଭ କରିଛି। ଚହଲଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା।