୬୫ କିଲୋ ଗଞ୍ଜେଇ ଜବତ; ୨ ଗିରଫ

ଗଜପତି: ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ ଏକ କରିଦେଇଛନ୍ତି । ଗଜପତି ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ଓ ତାଙ୍କ ଟିମ ରାତ୍ରକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଲୁହାଗୁଡି -ଚାନ୍ଦିପୁଟ ରାସ୍ତାରେ ଏକ ହୋଣ୍ଡା ସିଟି କାର ଦ୍ରୁତ ବେଗରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ କାର ମଧ୍ୟରୁ ୩ଟି ଜରି ବସ୍ତାରେ ୬୫ କିଲୋ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଯାହାର ବଜାରରେ ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ। ଘଟଣାସ୍ଥଳରୁ ଝାଡଖଣ୍ଡ ରାଜ୍ୟ କୋଟେ ରମା ଗ୍ରାମର ମୁଶାରଫ ଆଲାମ (୧୯) ଓ ବିହାର ରାଜ୍ୟ କୋଟ ଆଲି ଥାନା ଅନ୍ତର୍ଗତ କମନା ନେହୁର ଗ୍ରାମର ସୁରଜ ମେହେତୋ(୨୩) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ କାରକୁ ମଧ୍ୟ ଜବତ କରା ଯାଇଛି। ମାଫିଆମାନେ ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତରୁ ଗଞ୍ଜେଇ ସଂଗ୍ରହ କରି ବିହାର ରାଜ୍ୟର ପାଟଣା ସହରକୁ ଚୋରାଚାଲାଣ କରୁଥିଲେ।