ଏଣିକି ଗୋଟିଏ ଲୋକପାଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ

ମୁମ୍ବାଇ : ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ୩ଟି ଲୋକପାଳ ବ୍ୟବସ୍ଥାକୁ ଏକତ୍ର କରାଯାଇଛି । ସେଗୁଡିକ ହେଲା ବ୍ୟାଙ୍କ ଲୋକପାଳ ଯୋଜନା ୨୦୦୬, ଏନବିଏଫସି ଲୋକପାଳ ସ୍କିମ ୨୦୧୮ ଏବଂ ଡିଜିଟାଲ କାରବାର ପାଇଁ ଲୋକପାଳ ସ୍କିମ ୨୦୧୯ । କେବଳ ୩ଟି ଲୋକପାଳ ଯୋଜନାକୁ ଏକତ୍ର କରାଯାଇ ନାହିଁ ୫୦ କୋଟି କିମ୍ବା ତା’ଠାରୁ ଅଧିକ ଜମାଥିବା ସମବାୟ ବ୍ୟାଙ୍କକୁ ମଧ୍ୟ ଏହାର ପରିସରକୁ ଅଣାଯାଇଛି । ଗୋଟିଏ ସ୍ଥାନରେ ଅଭିଯୋଗ ଗ୍ରହଣ ଏବଂ ସମାଧାନ ବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ-ଚଣ୍ଡିଗଡଠାରେ ସ୍ଥାପନ କରାଯାଇଛି । ଏଠାରେ ଉଭୟ ଚିଠି ଓ ଇମେଲ୍‌ରେ ଆସୁଥିବା ଅଭିଯୋଗଗୁଡିକ ଗ୍ରହଣ ଏବଂ ପ୍ରାରମ୍ଭିକ କାର୍ଯ୍ୟ କରାଯିବ । ଗୋଟିଏ ଦେଶ ଗୋଟିଏ ଲୋକପାଳ ଆଭିମୁଖ୍ୟ ଉକ୍ତ ଯୋଜନାରେ ରହିଛି । ଅଭିଯୋଗ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଦାଖଲ କରାଯାଇ ପାରିବ । ସମନ୍ୱିତ ଲୋକପାଳ ଯୋଜନା ଦ୍ୱାରା ଲୋକଙ୍କୁ ଆଉ ଏକାଧିକ ସ୍ଥାନକୁ ଯିବାକୁ ପଡିବ ନାହିଁ । ଗୋଟିଏ ଦେଶ ଗୋଟିଏ ବ୍ୟାଙ୍କ ଲୋକପାଳ ଯୋଜନା ଦେଶରେ ସିଧାସଳଖ ଭାବେ ୪୪ କୋଟି ଋଣ ଆକାଉଣ୍ଟ ଥିବା ବ୍ୟକ୍ତି ଏବଂ ୨୨୦ କୋଟି ଜମାଖାତା ଥିବା ବ୍ୟକ୍ତିଙ୍କ ପାଇଁ ସହାୟକ ହେବ । ଗୋଟିଏ ପ୍ଲାଟଫର୍ମରେ ଲୋକମାନେ ଅଭିଯୋଗର ସମାଧାନ କରିପାରିବେ ।