କାଙ୍ଗାଳ ପାକିସ୍ତାନ: କର୍ମଚାରୀଙ୍କୁ ୩ ମାସର ଦରମା ମିଳିନି!

ନୂଆଦିଲ୍ଲୀ: ପାକିସ୍ତାନ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନି ଇମ୍ରାନ ଖାନ ସରକାର । ଇମ୍ରାନଙ୍କ ନୂଆ ପାକିସ୍ତାନର ନାରାକୁ ପଦାଇ ପକାଇଛି ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ । ପାକିସ୍ତାନରେ ଦାରିଦ୍ର୍ୟ କେଉଁଠି ପହଞ୍ଚିଛି ତାହା ଜଣାପଡ଼ିଛି । ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ ଏକ ଭିଡିଓ ଟ୍ୱିଟ୍‌ କରିଛି । ଯେଉଁଥିରେ ଲେଖାଯାଇଛି ୩ ମାସ ହେଲା ପାକିସ୍ତାନର କର୍ମଚାରୀଙ୍କୁ ଇମ୍ରାନ ଖାନ ସରକାର ଦରମା ଦେଇପାରୁନାହାଁନ୍ତି । ବିନା ଦରମାରେ କେତେଦିନ କାମ କରିବେ । ଏପରିକି ଦରମା ନମିଳିବାରୁ ଛୁଆଙ୍କ ସ୍କୁଲ୍‌ ଫି’ ଦିଆଯାଇ ପାରୁନାହିଁ । ଫଳରେ ଛୁଆଙ୍କ ପାଠପଢ଼ା ବନ୍ଦ ହେବା ସ୍ଥିତି ଉପୁଜିଥିବା ଟ୍ୱିଟ୍‌ କରିଛି ପାକିସ୍ତାନ ଦୂତାବାସ ।

ଏହି ଟ୍ୱିଟ୍‌ ପରେ ଇମ୍ରାନ ସରକାରର ଅସଲ ଚିତ୍ର ପଦାକୁ ଆସିଛି । ସମାନ ୫୬ ସେକେଣ୍ଡର ଭିଡିଓ ସହ ସମାନ ପୋଷ୍ଟ ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସର ଇନଷ୍ଟାଗ୍ରାମ ଓ ଫେସବୁକରେ ପୋଷ୍ଟ ହୋଇଛି । ପରେ ସର୍ବିଆ ସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ କୁହାଯାଇଛି, ଏଭଳି ପୋଷ୍ଟ ଦୂତାବାସ କରିନାହିଁ । ବରଂ କେହି ଆକାଉଣ୍ଟ ହ୍ୟାକ୍‌ କରି ଏଭଳି ଲେଖିବା ସହ ଭିଡିଓ ପୋଷ୍ଟ କରିଛି ।