ଦୁବାଇ: ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ୍ ଜିତିଥିଲେହେଁ ପରେ ଲଗାତାର ଦୁଇଟି ମ୍ୟାଚରେ ହାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଦଳର ପ୍ରଶଂସକଙ୍କୁ ଏହା ବହୁତ ନିରାଶ କରିଛି। ସୁରେଶ ରୈନାଙ୍କ ଅନୁପସ୍ଥିତିକୁ ସେମାନେ ହୃଦୟଙ୍ଗମ କରିଛନ୍ତି। ଟ୍ୱିଟରରେ #ComeBackMrIPL (ଫେରିଆସ ମିଷ୍ଟର ଆଇପିଏଲ) ଟ୍ରେଣ୍ଡ କରାଇ ଦଳକୁ ରୈନା ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ନିବେଦନ କରିଛନ୍ତି ବହୁ ପ୍ରଶଂସକ।
ପ୍ରଥମ ମ୍ୟାଚରେ ମୁମ୍ବାଇ ଠାରୁ ଜିତିଥିଲା ଦଳ। ଅମ୍ବାତି ରାୟୁଡ଼ୁଙ୍କ ପ୍ରଦର୍ଶନ ହିଁ ଦଳକୁ ଏହି ସଫଳତା ଦେଇଥିଲା। ହେଲେ ପରେ ଆହତ ସମସ୍ୟା ଯୋଗୁଁ ସେ ଦୁଇଟି ମ୍ୟାଚ୍ ଖେଳିନାହାନ୍ତି। ଯେଉଁ ଦୁଇଟି ଦଳ ରାଜସ୍ଥାନ ଏବଂ ଦିଲ୍ଲୀ ବିପକ୍ଷରେ ଖେଳି ହାରିଛି। ଉଭୟ ମ୍ୟାଚରେ ଧୋନି ଟସ ଜିତିଥିଲେ ହେଁ ରନ୍ ଚେଜ କରିବାରେ ଟପ୍ ଅର୍ଡ଼ର ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି। ଦଳୀୟ ସ୍ପିନର ପ୍ରବଳ ମାଡ଼ ଖାଉଥିବା ବେଳେ ଡୁପ୍ଲେସିସଙ୍କ ଛଡ଼ା ଅନ୍ୟ କାହାର ବ୍ୟାଟ୍ ଚାଲୁନି। ବାମହାତୀ ସୁରେଶ ରୈନାଙ୍କୁ ଅନୁପସ୍ଥିତି ଏ ଜାଗାରେ ସ୍ପଷ୍ଟ ବାରି ହୋଇପଡ଼ୁଛି।
ଚଳିତ ସିଜିନରେ ଚେନ୍ନାଇ ପକ୍ଷରୁ ଖେଳିବା ଲାଗି ରୈନା ୟୁଏଇ ଗସ୍ତ କରିଥିଲେ। ତେବେ କିଛି ବ୍ୟକ୍ତିଗତ କାରଣ ଯୋଗୁଁ ସେ ଭାରତ ଫେରିଯାଇଛନ୍ତି ଏବଂ ଚଳିତ ସିଜିନର ସମସ୍ତ ମ୍ୟାଚ୍ ମିସ କରିବେ ବୋଲି ସିଏସକେ ସିଇଓ ଜଣାଇଥିଲେ। ପରେ ଜଣାପଡ଼ିଥିଲା କି ହୋଟେଲ୍ ରୁମରେ ବାଲକୋନି ନଥିବାରୁ ରୈନା ରାଗିକରି ଚାଲିଆସିଥିଲେ। ଏନେଇ ଖୋଦ ସିଏସକେ ମାଲିକ ତଥା ପୂର୍ବତନ ବିିସିିସିଆଇ ସଭାପତି ଏନ୍ ଶ୍ରୀନିବାସନ୍ ଆଉଟଲୁକକୁ ଜଣାଇଥିଲେ। ଏପରିକି ସେ ସୁରେଶ ରୈନାଙ୍କ ଉପରେ ନିଜର ରାଗ ବ୍ୟକ୍ତ କରିଥିଲେ ଏବଂ ତାଙ୍କୁ କିଛି ପାଉଣା ଦିଆଯିବନି ବୋଲି ରୋକଠୋକ କହିଥିଲେ। ପରେ ଚର୍ଚ୍ଚା ହେଲା କି ରୈନା ସିଏସକେ ପାଇଁ ଆଉ ନ ଖେଳିପାରନ୍ତି।
ହେଲେ ପରେ ରୈନା ଏନେଇ ସଫେଇ ଦେଇଥିଲେ। ଶ୍ରୀନିବାସନଙ୍କୁ ସେ ପିତୃତୁଲ୍ୟ ଏବଂ ତାଙ୍କର ରାଗିବାର ଅଧିକାର ଅଛି ବୋଲି କହିଥିଲେ। ତେବେ ହୋଟେଲ ରୁମ୍ ପାଇଁ ନୁହେଁ ବରଂ ପୀଉସାଙ୍କୁ ହତ୍ୟା ଘଟଣା ଲାଗି ସେ ଭାରତ ଫେରିଆସିଥିବା ଏକପ୍ରକାର ଜଣାଇଥିଲେ। ହେଲେ ସେ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ନା ନାହିଁ? ତାଙ୍କୁ ପରେ କିଛି ଡକରା ଆସିଛି କି? ଏ ବାବଦରେ ସ୍ପଷ୍ଟ କରିନାହାନ୍ତି ସୁରେଶ ରୈନା।
ସୂଚନାଯୋଗ୍ୟ, ରୈନା ୧୯୩ଟି ଆଇପିଏଲ୍ ମ୍ୟାଚ୍ ଖେଳି ୫,୩୬୮ ରନ୍ ସ୍କୋର କରିଛନ୍ତି। ଆରମ୍ଭରୁ ପ୍ରତି ସିଜିନରେ ତାଙ୍କର ପ୍ରଦର୍ଶନ ଜବରଦସ୍ତ ରହିଆସିଛି। ୨୦୦୮ ରୁ ୨୦୧୯ ମଧ୍ୟରେ ସେ ଗୋଟିଏ ଶତକ ସହ ୩୮ଟି ଅର୍ଦ୍ଧଶତକୀୟ ପାଳି ଆଇପିଏଲରେ ଖେଳିସାରିଛନ୍ତି। ସେଥିପାଇଁ ତାଙ୍କୁ ବିଶ୍ୱର ଏହି ଲୋକପ୍ରିୟ ତଥା ଧନୀ କ୍ରିକେଟ ଲିଗର ସବୁଠୁ ଭଲ ଖେଳାଳି ଭାବେ ଗଣାଯାଏ। କେବଳ ଚେନ୍ନାଇ ଦଳର ପ୍ରଶଂସକ ନୁହଁନ୍ତି ଅନ୍ୟ ଦଳର ଶୁଭେଚ୍ଛୁ ମଧ୍ୟ ରୈନାଙ୍କୁ ମିଷ୍ଟର ଆଇପିଏଲ କହିବାକୁ ସଂକୋଚ କରନ୍ତିନି।