ଓବିସି ମାନଙ୍କ ସାମ୍ବିଧାନିକ ହକ୍‌ ପାଇଁ ବିଜେପି ଏବଂ ମୋ ନେତା ଧର୍ମେନ୍ଦ୍ର ଭାଇ ସବୁବେଳେ କାର୍ଯ୍ୟ କରିବାର ଅନେକ ଉଦାହରଣ ରହିଛି

ଭୁବନେଶ୍ୱର, ଡ଼ିସେମ୍ବର ୨୪: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ମିଛ ଡିଣ୍ଡିମ ନପିଟି ଓବିସି ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ, ଯୁବବର୍ଗଙ୍କୁ ଚାକିରିରେ ଏବଂ ରାଜନେତାଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆଇନଗତ ଲଢେଇ କରିବାକୁ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତୁ ବୋଲି ଏକ ଟ୍ୱିଟ୍‌ ଜରିଆରେ ପରାମର୍ଶ ଦେଇଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
ଶ୍ରୀ ମହାପାତ୍ର ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ପ୍ରିୟ ବବି ବାବୁ, ଆପଣ ଭଲ ଭାବରେ ଓବିସି ନିୟମ କାନୁନ ପଢ଼ିନାହାନ୍ତି ବୋଲି ମୋତେ ଲାଗୁଛି । ମୋ ନେତା ଧର୍ମେନ୍ଦ୍ର ଭାଇ ଜଣେ ଓବିସି ନେତା ଭାବେ ଓଡ଼ିଶା ସହିତ ସାରା ଦେଶରେ ପରିଚିତ । ପ୍ରଥମ ଓଡ଼ିଆ ଭାବେ ବାହାର ରାଜ୍ୟରୁ ସେ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ଆମେ ଗର୍ବ କରିବା କଥା । ମୋ ନେତାଙ୍କ କଥା ଉପରେ ଟିପ୍ପଣୀ ଦେବା ପୂର୍ବରୁ ଆପଣ ଥରେ ଭାବିବା ଉଚିତ୍‌ । ଓବିସି ମାନଙ୍କ ହିତ ପାଇଁ ସଂରକ୍ଷଣରେ ମଧ୍ୟପ୍ରଦେଶ ସରକାର ଯେଭଳି ପଦକ୍ଷେପ ନେଇଛନ୍ତି, ଆପଣଙ୍କ ଦଳ କିମ୍ବା ଆପଣଙ୍କ ମୁଖ୍ୟମନ୍ତ୍ରୀ ୨୧ ବର୍ଷ ଧରି ଭାବିନଥିଲେ କିମ୍ବା ଭାବିବେ ବୋଲି ଆମେ ଆଶା କରିପାରୁନାହୁଁ ।
ଯଦି ମଧ୍ୟପ୍ରଦେଶ ସରକାରର ଓବିସି ଉପରେ ନିଷ୍ପତିକୁ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବରେ ବୁଝାଇ ଓଡ଼ିଶାରେ ଲାଗୁ କରିପାରନ୍ତେ ତେବେ ଓବିସି ବର୍ଗ ଅଧିକ ଲାଭବାନ ହୋଇପାରିବେ । କେନ୍ଦ୍ର ସରକାର ଓବିସି ମାନଙ୍କ କ୍ଷେତ୍ରରେ ଯାହା କରୁଛନ୍ତି ତାହାକୁ ଭଲ ଭାବେ ଆପଣ ବିଶ୍ଳେଷଣ କରନ୍ତୁ । ନିକଟ ଅତୀତରେ ମେଡ଼ିକାଲ ଶିକ୍ଷାନୁଷ୍ଠାନ ସହ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ୨୭ ପ୍ରତିଶତ ଓ ଇଡବ୍ଲୁଏସଙ୍କୁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଥିବାବେଳେ ଆପଣଙ୍କ ସରକାର ଏହାକୁ ଓଡ଼ିଶାରେ ଲାଗୁ କରିଛନ୍ତି କି?
ଓଡ଼ିଶା ଜନସଂଖ୍ୟାର ୫୪ ପ୍ରତିଶତ ପାଖାପାଖି ଓବିସି ବର୍ଗ ଥିଲାବେଳେ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ବିଜେପି ଓବିସି ବର୍ଗର ୩୫ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରାର୍ଥୀ କରି ଉଦାହରଣ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାରେ, ଯୁବବର୍ଗଙ୍କୁ ଚାକିରିରେ ଏବଂ ରାଜନେତା ମାନଙ୍କୁ ନିର୍ବାଚନ ଲଢିବାରେ ଓବିସି ସଂରକ୍ଷଣ ଦେଇ ବବି ବାବୁ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବେ କି?
କିଛି ଦିନ ପୂର୍ବରୁ ଓବିସି କମିଶନର ସଦସ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ଓବିସି କମିଶନର ସଦସ୍ୟ ରିପୋର୍ଟରେ କଣ ଉଲ୍ଲେଖ କରିଥିଲେ, ଆପଣଙ୍କ ସରକାରର ଅଫିସରଙ୍କ ଠାରୁ ଭଲରେ ବୁଝନ୍ତୁ । ଓବିସି ସଂରକ୍ଷଣ ପ୍ରସଙ୍ଗରେ ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରୀଜନୀତି କରୁଛନ୍ତି ଏବଂ ସାମ୍ବିଧାନିକ ନ୍ୟାୟ ଦେବାର ମିଛ ଡିଣ୍ଡିମ ପିଟୁଛନ୍ତି । ଓବିସି ମାନଙ୍କ ସାମ୍ବିଧାନିକ ହକ୍‌ ପାଇଁ ବିଜେପି ଏବଂ ମୋ ନେତା ଧର୍ମେନ୍ଦ୍ର ଭାଇ ସବୁବେଳେ କାର୍ଯ୍ୟ କରିବାର ଅନେକ ଉଦାହରଣ ରହିଛି । ଗତ ଅଗଷ୍ଟ ୧୧, ୨୦୨୧ ଦିନ ରାଜ୍ୟସଭାରେ ଧର୍ମେନ୍ଦ୍ର ଭାଇ ଓବିସି ସଂରକ୍ଷଣ ଉପରେ ଦେଇଥିବା ବକ୍ତବ୍ୟ ଥରେ ସୋସିଆଲ ମିଡ଼ିଆରୁ ଦେଖନ୍ତୁ ।
ଆପଣଙ୍କ ସରକାର ୨୦୧୯ରେ ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବା ପାଇଁ କୋଟି କୋଟି ଟଙ୍କା ନେଉଥିବା ଓକିଲକୁ ଲଢ଼ାଇ ଥିଲେ । ଓବିସି ମାନଙ୍କ ହିତରେ ମାନ୍ୟବର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରୁନାହଁ କାହିଁକି? ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍‌ ଜେନେରାଲଙ୍କ ଏହି ପ୍ରସଙ୍ଗରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
ଆମ ଦଳ ପକ୍ଷରୁ ମୁଁ ଅନୁରୋଧ କରୁଛି, ଆପଣଙ୍କ ସରକାର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା, ଯୁବବର୍ଗଙ୍କୁ ଚାକିରି ଓ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ନଦେଇ ସାମ୍ବିଧାନିକ ଅଧିକାରରୁ ବଂଚିତ କରନ୍ତୁ ନାହିଁ । ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଲଢେ଼ଇ କରନ୍ତୁ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତିା