ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ବର: ରାଜ୍ୟ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଛନ୍ତି ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପ୍ରଥମ ଚିଠିରେ ୨୦୧୮ରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ସଲଗ୍ନ କରି ପଠାଯାଇଛି। ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୮ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି କିପରି ପହଞ୍ଚିନାହିଁ ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି।

ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର‌ରେ କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ କିରେନ ରିଜଜୁ କହିଥିଲେ, ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି।