ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଲଢେଇ ୮ମ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହିତ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ରୁଷ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଛନ୍ତି । ଏହି ଆଲୋଚନା ସମୟରେ ରୁଷୀୟ ରାଷ୍ଟ୍ରପତି ପୁତିନ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଦେବାରେ ସହଯୋଗ କରିବେ ବୋଲି କହିଛି । ୟୁକ୍ରେନର ଖାରକିଭ ସହରରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ କଥା ହୋଇଛନ୍ତି । ଖାରକିଭ ସହରରେ ବ୍ୟାପକ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି ।

ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି କହିଛନ୍ତି ଯେ, ରୁଷୀୟ ସେନା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ସେହିପରି ପୁଟିନ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳକୁ ତୁରନ୍ତ ସେଠାରୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର କରିଡର ମାଧ୍ୟମରେ ଖୁବଶୀଘ୍ର ରୁଷିଆ ନେଇ ଯିବାକୁ ଉଦ୍ୟମ କରୁଛୁ । ଏହା ପରେ ସେମାନଙ୍କୁ ଭାରତ ପଠାଇ ଦିଆଯିବ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୟୁକ୍ରେନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖିଥିବା ଅଭିଯୋଗ କରିଛନ୍ତି ।