ୟୁପିରେ ବିଜେପି ନୁହେଁ ସରକାର ଗଢିବେ ଅଖିଳେଶ ଯାଦବ: ନୂତନ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ମତଦାନ ସଂପନ୍ନ ପରେ ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ଗତକାଲି ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ପ୍ରାୟ ସମସ୍ତ ଏକଜିଟ୍‌ ପୋଲ୍‌ରେ ବିଜେପି ଉତ୍ତର ପ୍ରଦେଶରେ ପୁଣି ଥରେ ସରକାର ଗଠନ କରୁଥିବା ଭବିଷ୍ୟତବାଣୀ କରାଯାଇଛି। ତେବେ ଦୁଇଟି ସର୍ଭେ ଏମିତି ରହିଛି, ଯେଉଁଥିରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେଉଥିବା ଭବିଷ୍ୟତବାଣୀ କରାଯାଇଛି। ଦେଶବନ୍ଧୁ ବ୍ୟତୀତ ଆଉ ଏକ ସର୍ଭେରେ ସମାଜବାଦୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳୁଥିବା ପୂର୍ବାନୁମାନ କରାଯାଇଛି। ବିଜେପିର ବହୁତ କ୍ଷତି ଘଟୁଥିବା ଦୁଇଟି ସର୍ଭେରେ କୁହାଯାଇଛି। ସୋମବାର ଉତ୍ତର ପ୍ରଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ସରିବା ପରେ ସମସ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନ ସଂପନ୍ନ ହୋଇଛି। ଏବେ ସଭିଙ୍କ ନଜର ମାର୍ଚ୍ଚ ୧୦ ନିର୍ବାଚନୀ ଫଳାଫଳ ଉପରେ ରହିଛି। ଏହା ପୂର୍ବରୁ ସମସ୍ତ ଚ୍ୟାନେଲ୍‌ ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ସମସ୍ତ ଏକଜିଟ୍‌ ପୋଲରେ ବିଜେପି ୟୁପିରେ ବିପୁଳ ବିଜୟ ହାସଲ କରୁଥିବା କୁହାଯାଇଛି। ତେବେ ଦୁଇଟି ସର୍ଭେରେ ଚିତ୍ର ଭିନ୍ନ ରହିଛି।

 

୪-ପିଏମ ଏବଂ ଦ ପଲିଟିକ୍ସ ଡଟ୍ ଇନ୍‌ର ସର୍ଭେ ଅନୁଯାୟୀ, ଉତ୍ତର ପ୍ରଦେଶରେ ଏଥର ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସର୍ଭେରେ ଦାବି କରାଯାଇଛି ଯେ, ୟୁପି ନିର୍ବାଚନରେ ସମାଜବାଦୀ ପାର୍ଟିକୁ ୨୩୮ ସିଟ୍ ମିଳିପାରେ। ବିଜେପି ୧୫୭ ଆସନରେ ସୀମିତ ରହିପାରେ। ବିଏସପି ୬ ଏବଂ କଂଗ୍ରେସକୁ ଗୋଟିଏ ସିଟ୍  ମିଳିବ ବୋଲି ଅନୁମାନ କରାଯାଇଛି। ଅନ୍ୟ ଖାତାକୁ ଗୋଟିଏ ସିଟ୍ ଯାଇପାରେ। ଅନ୍ୟପଟେ ସପ୍ତମ ପର୍ଯ୍ୟାୟ ମତଦାନ ପରେ ଅଖିଳେଶ ଯାଦବ ଦାବି କରିଛନ୍ତି ଯେ, ତାଙ୍କ ପାର୍ଟି ୩୦୦ରୁ ଅଧିକ ଆସନ ଜିତିବ। ଜୟନ୍ତ ଚୌଧରୁୀ ମଧ୍ୟ ଏକଜିଟ୍ ପୋଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଭୋଟ୍ ଗଣତି ଦିନ ସ୍ପଷ୍ଟ ହୋଇଯିବ ଯେ ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଢିବାକୁ ଯାଉଛି।