ଅକଲ୍ୟାଣ୍ଡ: ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ନେଇ ଅନେକ ଦେଶ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ ଦେଶ ନିନ୍ଦା ମଧ୍ୟ କରୁଛନ୍ତି । ସେହିପରି ଅନେକ ପଶ୍ଚିମ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲାଗୁ କରୁଛନ୍ତି । ତଥାପି ମସ୍କୋ ଉପରେ ଏହି କଟକଣାର କୌଣସି ପ୍ରଭାବ ପଡୁନାହିଁ ବରଂ ଆକ୍ରମଣକୁ ଆହୁରି ଜୋରଦାର କରି ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି । ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡ ସରକାର ଏକ କଡା ଆଇନ ଆଣିବାକୁ ଯାଉଛନ୍ତି । ଯେଉଁ ଆଇନରେ ରୁଷ ଉପରେ କଠୋର କଟକଣା ଲାଗୁ କରିବାର ପ୍ରାବଧାନ ରହିବ ।
ଏହି ନୂଆ ଆଇନରେ ସମ୍ପତ୍ତି ଜବତ ଠାରୁ ବିମାନ ଉଡାଣ ଉପରେ ରୋକ ଲଗାଇବା ପାଇଁ ନ୍ୟୁଜିଲ୍ୟାଣ୍ଡ ସରକାର ସ୍ୱତନ୍ତ୍ର କ୍ଷମତା ପାଇବେ । ସୂଚନାଯୋଗ୍ୟ ଯେ, ଜାତିସଂଘ ସୁରକ୍ଷା ପରିଷଦ ରୁଷ ବିରୋଧରେ ପ୍ରସ୍ତାବ ଆଣୁଥିଲେ ମଧ୍ୟ ଏଥିରେ ସଫଳତା ମିଳୁନାହିଁ । କାରଣ ରୁଷ ପାଖରେ ଭିଟୋ ପାୱାର ଥିବାରୁ ସବୁ ପ୍ରସ୍ତାବକୁ ଅକାମୀ କରି ଦେଉଛି । ତେଣୁ ନ୍ୟୁଜିଲ୍ୟାଣ୍ଡ ସରକାର ରୁଷକୁ କଡା ଜବାବ ଦେବା ପାଇଁ ନିଜସ୍ୱ ଆଇନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।