ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଏହି ଲଢେଇରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଲୋକଙ୍କର ମୃତ୍ୟୁବରଣ ହୋଇଛି । ସେହିପରି ଉଭୟଙ୍କ ମଧ୍ୟରେ ଚାରିଥର ଆଲୋଚନା ହୋଇଥିଲେ କୌଣସି ସୁଫଳ ମିଳିପାରୁନାହିଁ । ଏହା ମଧ୍ୟରେ ରୁଷକୁ ଖୋଲା ଚେତାବନୀ ଦେଇଛି ଆମେରିକା । ଆମେରିକା କହିଛି ଯେ, ଯଦି ରୁଷ କୌଣସି ନାଟୋ ସଦସ୍ୟ ଦେଶ ଉପରେ ଆକ୍ରମଣ କରେ ତେବେ ଆମେରିକା ଖୋଲାଖୋଲି ରୁଷ ବିରୋଧରେ ଯୁଦ୍ଧ କରିବ । ଆଉ ଯଦି ଏମିତି ହୁଏ ତେବେ ତୃତୀୟ ବିଶ୍ୱ ଯୁଦ୍ଧ ହେବା ସୁନିଶ୍ଚିତ । ଅନ୍ୟପକ୍ଷରେ ଆମେରିକା କହିଛି ଯେ, ଆମେରିକୀୟ ସେନା ୟୁକ୍ରେନରେ ରୁଷ ବିରୋଧରେ ଲଢିବ ନାହିଁ । କିନ୍ତୁ ସେ ନିଜର ନାଟୋ ସହଯୋଗୀ ସଦସ୍ୟ ଦେଶଙ୍କ ପ୍ରତି ପ୍ରତିବଦ୍ଧ ରହିଛି । ସେହିପରି ଆମେରିକା କହିଛି ଯେ, ରୁଷକୁ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ନାଟୋ ସଦସ୍ୟଙ୍କ ରକ୍ଷା ଆମର ମିତ୍ର ଦେଶ ସବୁ କରିବେ ।