ପୋଲିସ ବିଭାଗରେ ହେବ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ତେବେ ଏପରି ସ୍ଥିତିରେ ରାଜ୍ୟରେ ପୋଲିସ ବିଭାଗରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି । ଅଧିକାଂଶ ଜିଲ୍ଲାରେ ଏସପି ବଦଳିବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଜଣାପଡ଼ିଛି ଯେ, ଭୁବନେଶ୍ୱରର ଡିସିପି ପଦବୀ ପାଇଁ ରାଜ୍ୟର ଦୁଇଜଣ ଅଫିସରଙ୍କ ନାମକୁ ନେଇ ଆଲୋଚନା ଚାଲିଛି । ସେବାୟତଙ୍କ ହତ୍ୟା, ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରି କିଛି ଘଟଣାକୁ ନେଇ ପୋଲିସ ବିଭାଗ ଏବେ ବିବାଦ ଘେରରେ । ତେଣୁ ପୁରୀରେ ମଧ୍ୟ ଏସପି ବଦଳିପାରନ୍ତି । କଳାହାଣ୍ଡି, ବଲାଙ୍ଗିର ପରି ଜିଲ୍ଲାମାନଙ୍କରେ ଅନୁରୂପ ସମ୍ଭାବନା ସୃଷ୍ଟି ହୋଇଛି । କିଛି ଜିଲ୍ଲାରେ ଏସପି ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବେ, ତେଣୁ ସେମାନଙ୍କର ମଧ୍ୟ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି । କିଛି ଅଧିକାରୀ ଦୁଇ ଦୁଇଟି ବିଭାଗର ଡିଆଇଜି ଦାୟିତ୍ୱ ତୁଲାଉଥିବାରୁ ତାଙ୍କର ମଧ୍ୟ ବଦଳି ହୋଇପାରେ ।

ରେଞ୍ଜ ସ୍ତରରେ ମଧ୍ୟ ଅଦଳବଦଳ ସମ୍ଭାବନା ଦେଖାଯାଇଛି । କିଛି ଅଧିକାରୀ ଗୋଟିଏ ସ୍ଥାନରେ ଦୁଇବର୍ଷରୁ ଅଧିକ ସମୟ ଧରି ରହିଛନ୍ତି । ତେଣୁ ସେମାନଙ୍କୁସରକାର ବଦଳି ପରିପାରନ୍ତି । ଅନ୍ୟପକ୍ଷରେ ବହୁ ଅଫିସର ଇନ୍ସପେକ୍ଟରରୁ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ସ୍ଥଳେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସେମାନଙ୍କର ବଦଳି ହୋଇନଥିଲା । ଏବେ ନିର୍ବାଚନ ସରିଥିବାରୁ ସେମାନଙ୍କର ବଦଳି ହେଲେ ନୂଆ ଅଧିକାରୀମାନେ ଦାୟିତ୍ୱ ନେବେ । ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ପୋଲିସର ବଡ଼ଧରଣର ଅଦଳବଦଳ ହେବ ବୋଲି କୁହାଯାଉଛି ।