ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଶ୍ରୁବସୋଲ
ଇଂଲଣ୍ଡ କ୍ରିକେଟ ଟିମର ସିମର ଆନ୍ୟା ଶ୍ରୁବ୍ସୋଲ ଅନ୍ତର୍ଜାତୀୟ କ୍ରିକେଟରୁ…
ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ ଟିମର ସିମର ଆନ୍ୟା ଶ୍ରୁବ୍ସୋଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୁବସୋଲ୍ ଇଂଲଣ୍ଡ ପକ୍ଷରୁ ସମସ୍ତ ଫର୍ମାଟରେ ୧୭୩ଟି ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଥିବା ବେଳେ ୨୨୭ ୱିକେଟ୍ ହାସଲ କରିଛନ୍ତି । ସେହିପରି ଦୁଇଥର ବିଶ୍ୱକପ୍ ଚାମ୍ପିଅନ ଶ୍ରୁବ୍ସୋଲ୍ ୨୦୧୭ରେ ଇଂଲଣ୍ଡର ଟାଇଟଲ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅନ୍ୟପକ୍ଷରେ ଲର୍ଡ୍ସରେ ଖେଳାଯାଇଥିବା ଫାଇନାଲରେ ୬ ୱିକେଟ ନେଇ ସେ ଏକାକୀ ଭାରତୀୟ ଇନିଂସ୍କୁ ଧୂଳିସାତ କରିଦେଇଥିଲେ । ଏହି ମ୍ୟାଚରେ ଭାରତ ୯ ରନରେ ପରାଜିତ ହୋଇଥିଲା । ଶ୍ରୁବସୋଲ୍ ଦିନିକିଆ କ୍ରିକେଟରେ ଇଂଲଣ୍ଡର ଚତୁର୍ଥ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି ।
ସେହିପରି ଏହି ଅବସର ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି ଇଂଲଣ୍ଡ ପକ୍ଷରୁ ଗତ ୧୪ ବର୍ଷ ଧରି ପ୍ରତିନିଧିତ୍ୱ କରି ନିଜକୁ ବିଶେଷ ଭାବେ ଗୌରବାନ୍ୱିତ । ମହିଳା କ୍ରିକେଟର ଦ୍ରୁତ ବିକାଶ ଘଟୁଥିବା ବେଳେ ଏହାର ଏକ ଅଂଶ ହୋଇଥିବାରୁ ସମ୍ମାନିତ ଅନୁଭବ କରୁଛି । ତେବେ ଏହା ଯେତେ ଦ୍ରୁତ ଗତିରେ ଆଗକୁ ବଢୁଛି, ସେଥିରେ ନିଜକୁ ଖାପ ଖୁଆଇପାରିବି ନାହିଁ । ତେଣୁ ମୁଁ ଅବସର ନେବାକୁ ଏହା ଉପଯୁକ୍ତ ସମୟ ବୋଲି ନିଷ୍ପତ୍ତି ନେଇଛି ।