ଅଜାନ ସମୟରେ ବାଜିବନି ହନୁମାନ ଚାଳିସା

ଅଜାନ-ହନୁମାନ ଚାଳିସା ବିବାଦ ମଧ୍ୟରେ ନାସିକ ନାସିକ ପ୍ରଶାସନ ବଡ ନିଷ୍ପତ୍ତି ନେଇଛି । ଏଣିକି ଆଜାନ ସମୟରେ ଲାଉଡସ୍ପିକରରେ ବାଜିବନି ହନୁମାନ ଚାଳିଶା । ଏଭଳି ଏକ ନିର୍ଦେଶ ଦେଛନ୍ତି ମହାରାଷ୍ଟ୍ରର ନାସିକ ପ୍ରଶାସନ । ନିର୍ଦ୍ଦେଶ ଅନୁସାରେ, ଆଜାନର ୧୫ ମିନିଟ୍ ପୂର୍ବରୁ ଓ ୧୫ ମିନିଟ୍‌ ପରେ ହନୁମାନ ଚାଳିଶା ବଜାଇ ହେବନି । ନାସିକ ପ୍ରଶାସନ କହିଛି, ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ନାସିକ ପୋଲିସ କମିଶନ୍‌ର ଦୀପକ ପାଣ୍ଡେ କହିଛନ୍ତି, ହନୁମାନ ଚାଳିସା କିମ୍ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ । ଅଜାନ ପୂର୍ବରୁ ଓ ପରେ ୧୫ ମିନିଟ ଭିତ​‌ରେ ଏହାର ଅନୁମତି ମିଳିବନି । ମସଜିଦ୍‌ର ୧୦୦ ମିଟର ପରିସରରେ ଏହାର ଅନୁମତି ଦିଆଯାଇ ନାହିଁ ।

ଏହି ନିର୍ଦ୍ଦେଶର ଉଦେଶ୍ୟ ହେଉଛି ଆଇନ ବ୍ୟବସ୍ଥାକୁ ବଜାୟ ରଖିବା । ଦୀପକ ପାଣ୍ଡେ ଆହୁରି କହିଛନ୍ତି ଯେ, ମଇ ୩ ତାରିଖ ଅର୍ଥାତ୍ ଇଦ୍ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ସ୍ଥାନଗୁଡ଼ିକ ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ପଡ଼ିବ । ଯଦି ମଇ ୩ ପରେ କେହି ବି ନିଯମ ଉଲ୍ଲଙ୍ଘନ କରୁଥିବା ନଜର ଆସିବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।