ବିଶିଷ୍ଠ ଲେଖିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ କଟକ ସତୀଚଉରାରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ
ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ କଟକ ସତୀଚଉରାରେ ରାଷ୍ଟ୍ରୀୟ …
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଦେହାନ୍ତ ସମଗ୍ର ସାହିତ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି। ଓଡିଆ ଭାଷା ଓ ସାହିତ୍ୟ ପ୍ରତି ଥିବା ପ୍ରଚଣ୍ଡ ଭଲପାଇବା ପାଇଁ ସେ ଚିରକାଳ ପର୍ଯ୍ୟନ୍ତ ଅମର ହୋଇ ରହିଥିବେ,ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
କଟକ,(ସାକ୍ସୀ ନ୍ୟୁଜ୍): ବିଣାପାଣୀଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । କଟକ ସତୀଚଉରା ଠାରେ ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ପାଟଦେଇ ଓ କସ୍ତୁରୀମୃଗ ଭଳି ସାହିତ୍ୟ କୃତି ବିଣାପାଣିଙ୍କ ପ୍ରସିଦ୍ଧି ଆଣିଦେଇଥିଲା ।
୨୦୨୦ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କ୍ଷୁଦ୍ରଗଳ୍ପ କସ୍ତୁରୀମୃଗ ଓ ସବୁଜ ଆରଣ୍ୟ ପାଇଁ ବୀଣାପାଣି ମହାନ୍ତି ୧୯୬୮ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । କ୍ଷୁଦ୍ରଗଳ୍ପ ପାଟଦେଇ ପାଇଁ ୧୯୯୦ ମସିହାରେ ବୀଣାପାଣି ମହାନ୍ତିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବି ମିଳିଥିଲା । ପାଟଦେଇକୁ ନେଇ ଦୂରଦର୍ଶନ ପକ୍ଷରୁ ୧୯୮୭ ମସିହାରେ ‘କଶମକସ୍’ ନାମରେ ସିରିଜ ବି ପ୍ରସ୍ତୁତ ହୋଇଥିଲା ।
ଅତିବଡି ଜଗନ୍ନାଥ ଦାସ ପୁରସ୍କାର,ସାରଳା ପୁରସ୍କାର ଓ ବିଷୁବ ପୁରସ୍କାର ଭଳି ଅନେକ ପୁରସ୍କାରରେ ସେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ୧୯୫୯ ମସିହାରେ ରେଭେନ୍ସାରୁ ଅର୍ଥନୀତିରେ ସ୍ନାତକୋତର ହାସଲ କରିଥିଲେ ବୀଣାପାଣି ମହାନ୍ତି । ଏହାପରେ ବିଭିନ୍ନ କଲେଜରେ ସେ ଅଧ୍ୟାପନା କରି ୧୯୯୨ ମସିହାରେ କଟକ ଶୈଳବାଳା କଲେଜରୁ ଅବସର ନେଇଥିଲେ । ଏହି ପ୍ରଖ୍ୟାତ ଲେଖିକାଙ୍କ ଅନେକ କୃତି ଇଂରାଜୀ, ହିନ୍ଦୀ, କନ୍ନଡ, ମାଲାୟଲମ. ମରାଠୀ, ବଙ୍ଗାଳୀ, ଉର୍ଦ୍ଦୁ, ତେଲୁଗୁ ଓ ଋଷିଆ ଭାଷାରେ ଅନୁବାଦ ହୋଇଛି ।
ଋଷିଆର ପ୍ରସିଦ୍ଧ ଲୋକକଥାକୁ ସେ ଇଂରାଜୀରୁ ଓଡିଆକୁ ଅନୁବାଦ କରିଥିଲେ । ବୀଣାପାଣି ମହାନ୍ତି ୩ଟି ଉପନ୍ୟାସ ଓ ୧୬ରୁ ଅଧିକ କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି । ସେହିଭଳି କିଛି ପତ୍ରିକାର ସମ୍ପାଦନା ଦାୟିତ୍ୱରେ ବି ଥିଲେ । ତାଙ୍କର କ୍ଷୁଦ୍ରଗଳ୍ପକୁ ନେଇ ‘ଅନ୍ଧକାରର ଛାଇ’ ନାମକ ଏକ ଫିଲ୍ମ ବି ପ୍ରସ୍ତୁତ ହୋଇଥିଲା, ଯାହାକୁ ଦର୍ଶକମାନେ ବେଶ ପ୍ରଶଂସା କରିଥିଲେ ।