ଭୁବନେଶ୍ୱର: ସାରା ରାଜ୍ୟରେ ଅଗ୍ନି ବର୍ଷା। । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଭୁବନେଶ୍ବର ଏବଂ କଟକରେ ତାତି ବଢ଼ିଛି। ଭୁବନେଶ୍ବର, ସୁବର୍ଣ୍ଣପୁର, ତାଳଚେର ଏବଂ ଅନୁଗୋଳ ତତଲା କଡେଇରେ ଆଉଟୁପାଉଟୁ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଏଥିରୁ ବାଦ ପଡିନାହିଁ ବରଂ ଅଧିକ ପ୍ରଭାବିତ ହେଉଛି।
ଚଳିତ ବର୍ଷ ଏପ୍ରିଲରେ ସର୍ବାଧିକ ତାପମାତ୍ରା ବିଶେଷ ବୃଦ୍ଧି ପାଇବନାହିଁ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ଏପ୍ରିଲରେ ପଶ୍ଚିମ ଓଡ଼ିଶା ତାତିରେ ସିଝୁଛି। ଗତକାଲି ଦିନ ବେଳାର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ୨୮ ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ୮ ସହରରେ ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିଛି। ୪୩.୮ ଡିଗ୍ରୀ ସହ ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ୪୩.୩ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଆଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ୨ ଦିନ ଯାଏଁ ଉପକୂଳ ଓଡ଼ିଶାର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଏବଂ ନୟାଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହି ଜିଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଅତି ଜରୁରୀ କାମ ନ ଥିଲେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ପଦାକୁ ବାହାରିବାକୁ ବାରଣ କରିଛନ୍ତି ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)।