ଆଇଆଇଏମ କ୍ୟାମ୍ପସ ଲୋକାର୍ପିତ କଲେ ରାଷ୍ଟ୍ରପତି ରାମନାଥ

ଆଇଆଇଏମ ନାଗପୁରର ନୂତନ ସ୍ଥାୟୀ କ୍ୟାମ୍ପସ୍‌କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି…..

ନୂଆଦିଲ୍ଲୀ: ଆଇଆଇଏମ ନାଗପୁରର ନୂତନ ସ୍ଥାୟୀ କ୍ୟାମ୍ପସ୍‌କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ଉଦବୋଧନ ନେଇ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ଆମେ ଏପରି ଏକ ଯୁଗରେ ଅଛୁ ଯେଉଁଠି ନବସୃଜନ ଓ ଉଦ୍ୟମିତାକୁ ପ୍ରଂଶସା କରାଯିବା ସହ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଆଇଆଇଏମ ନାଗପୁରର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ନିଯୁକ୍ତି ଅନ୍ୱେଷଣ କରିବା ପାଇଁ ନୁହେଁ, ବରଂ ନିଯୁକ୍ତିଦାତା ହେବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତକରିବ ବୋଲି ଶ୍ରୀ କୋବିନ୍ଦ ମତପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଶିକ୍ଷା ହେଉଛି ସଶକ୍ତୀକରଣର ମାଧ୍ୟମ । ସେହିପରି ଜ୍ଞାନ ଏବଂ ଶିକ୍ଷା ଦାରିଦ୍ର୍ୟରୁ ସମ୍ପନ୍ନତା ତଥା ଲୋକକଲ୍ୟାଣର ମୂଳ ଚାବିକାଠି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଇଆଇଏମ ନାଗପୁର ଭାରତକୁ ଶିକ୍ଷା ଅର୍ଥନୀତିରେ ବିକଶିତ କରିବାରେ ନେତୃତ୍ୱ ନେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଇଆଇମ, ନାଗପୁରର ଛାତ୍ରଛାତ୍ରୀମାନେ କିଛି ଦାୟିତ୍ୱ ନେଇ ଉତ୍ସାହର ସହ ସମାଜକୁ କିଛି ଦେବାର ନୂଆ ପ୍ରଥା ଆରମ୍ଭ କରନ୍ତୁ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ, କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ, ମହାରାଷ୍ଟ୍ର ଶିଳ୍ପ ଓ ଖଣିମନ୍ତ୍ରୀ ଶ୍ରୀ ସୁବାଷ ଦେଶାଇ, ମହାରାଷ୍ଟ୍ର ଉର୍ଜା ମନ୍ତ୍ରୀ ନୀତୀନ ରାଉତ, ମହାରାଷ୍ଟ୍ର ବିଧାନସଭାର ବିରୋଧୀଦଳର ନେତା ଦେବେନ୍ଦ୍ର ଫଡନାବୀସ, ସାଂସଦ ବିକାଶ ମାହାତ୍‌ମେ, କୃପାଳ ତୁମାଣେ, ଆଇଆଇଏମ ନାଗପୁରର ବୋର୍ଡ ଅଫ ଗଭର୍ଣ୍ଣରର ଚେୟାରମ୍ୟାନ ସି.ପି ଗୁରଣାନୀ, ଆଇଆଇଏମ ନାଗପୁରର ନିର୍ଦ୍ଦେଶକ ଶ୍ରୀ ଭୀମରୟା ମେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।