ନାଟୋ ଯୋଗୁ ବଢୁଛି ବିପଦ: ପୁଟିନ୍‌

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ ତାର ୭୭ତମ ଭିକ୍ଟୋରୀ ଡେ ପାଳନ…

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ ତାର ୭୭ତମ ଭିକ୍ଟୋରୀ ଡେ ପାଳନ କରିଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଭିକ୍ଟୋରୀ ଡେ ସମାରୋହକୁ ସମ୍ବୋଧିତ କରି ୟୁକ୍‌ରେନ ସହ ଯୁଦ୍ଧକୁ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ ହୋଇଥିବା ସୋଭିଏତ ସଂଘର୍ଷ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ବିରୋଧରେ ରୁଷିଆର କାର୍ଯ୍ୟାନୁଷ୍ଠାନ ଏକ ସମୟୋଚିତ ପଦକ୍ଷେପ । ଏହା ଦ୍ୱାରା ପାଶ୍ଚାତ୍ୟ ନୀତିକୁ ଠିକ୍‌ ସମୟରେ ଉଚିତ ଜବାବ ଦିଆଯାଇ ପାରିଛି । ସେ କହିଛନ୍ତି ଯେ ୟୁକ୍ରେନରେ ଋଷିଆ ତାର ମାତୃଭୂମିର ସୁରକ୍ଷା କରୁଛି । ସେହିପରି ସେ କହିଛନ୍ତି ଯେ, ଆମକୁ ଏପରି ପ୍ରଯତ୍ନ କରିବାକୁ ହେବ ଯେପରି ବିଶ୍ୱରେ ପୁଣି ଦ୍ୱିତୀୟବାର କେଉଁଠି ଯୁଦ୍ଧ ନ ହୁଏ । ଭାଷଣରେ ପୁତିନ କହିଛନ୍ତି ଯେ ନାଟୋ ଆମ ସୀମାରେ ରୁଷିଆ ଲାଗି ବିପଦ ସୃଷ୍ଟି କରୁଛି । ଆମେ ଆମ ଭୂମି ପାଇଁ ଲଢେଇ କରୁଛୁ କିନ୍ତୁ ୟୁକ୍ରେନ ଏବେ ପରମାଣୁ ଅସ୍ତ୍ରଶସ୍ତ୍ର ଆଡକୁ ଅଗ୍ରସର ହେଉଛି । ଏହି ଅବସରରେ ୟୁକ୍ରେନରେ ପ୍ରାଣ ହରାଇଥିବା ରୁଷ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପୁଟିନ ।