ପିରିୟଡସ ଯୋଗୁ ହାରିଲେ ଚୀନ ଟେନିସ ଖେଳାଳି

ପ୍ରଥମଥର ଫ୍ରେଞ୍ଚ ଓପନ ଟେନିସ ଖେଳୁଥିବା ଚୀନ୍‌ର ୧୯ ବର୍ଷୀୟ ଝେନ୍‌ କିନୱେନ ବିଶ୍ୱର ନମ୍ବର ୱାନ ଖେଳାଳି ଇଗା ସ୍ପିଆଟେକଙ୍କ….

ନୂଆଦିଲ୍ଲୀ : ପ୍ରଥମଥର ଫ୍ରେଞ୍ଚ ଓପନ ଟେନିସ ଖେଳୁଥିବା ଚୀନ୍‌ର ୧୯ ବର୍ଷୀୟ ଝେନ୍‌ କିନୱେନ ବିଶ୍ୱର ନମ୍ବର ୱାନ ଖେଳାଳି ଇଗା ସ୍ପିଆଟେକଙ୍କ ଠାରୁ ହାରିଯାଇଛନ୍ତି । ଝେଙ୍ଗଙ୍କୁ ପୋଲାଣ୍ଡର ଇଗା ୬-୭, ୬୦, ୬-୨ ସେଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ଇଗାଙ୍କୁ ହରାଇ ନପାରି ଝେଙ୍ଗ ଦୁଃଖ ପ୍ରକାଶ କରିଛନ୍ତି । ମ୍ୟାଚ ପରେ ସେ କହିଛନ୍ତି, ଯଦି ମୁଁ ପୁଅ ହୋଇଥାନ୍ତି ତେବେ ମୋତେ ପିରିୟଡସର ସାମନା କରିବାକୁ ପଡିନଥାନ୍ତା । ଏହି ମ୍ୟାଚର ପ୍ରଥମ ସେଟ ୭-୬ରେ ଝେଙ୍ଗ ଜିତିଯାଇଥିଲେ, କିନ୍ତୁ ଆଗାମୀ ଦୁଇଟି ସେଟରେ ସେ ୬-୦, ୬- ୨ରେପରାସ୍ତ ହୋଇଥିଲେ । ଏହା ସହିତ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାହାର ହେବାକୁ ପଡିଛି ।

ଉଲ୍ଲେଖନୀୟ ଯେ ୧୯ ବର୍ଷୀୟ ଚୀନ ଏହି ଟେନିସ ଷ୍ଟାର ୱାର୍ଲ୍ଡ ରାଙ୍କରେ ୭୦ତମ ସ୍ଥାନରେ ଅଛନ୍ତି । ଝେଙ୍ଗ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମରୁ ଡେବ୍ୟୁ କରିଥିଲେ । ମ୍ୟାଚ ହାରିବା ପରେ ଝେଙ୍ଗ ନିଜର ପରାଜୟର କାରଣ ମଧ୍ୟ କରିଛନ୍ତି । ସେ କହିଛନ୍ତି, ଆଘାତ ଲାଗିଥିବାରୁ ଚିନ୍ତିତ ନଥିଲି । ମୁଁ ପିରିୟଡସ କାରଣରୁ ଅଧିକ ଚିନ୍ତାରେ ଥିଲି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏହି ସମସ୍ୟା ଆରମ୍ଭ ହୋଇସାରିଥିଲା । ସେଥିପାଇଁ ମ୍ୟାଚ ମଝିରେ ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏଭଳି ଯନ୍ତ୍ରଣା ସହିବା ମୋ ପାଇଁ ଖୁବ କଷ୍ଟକର ଥିଲା । ପିରିୟଡସର ପ୍ରଥମ ଦିନ ଥିଲା । ଏହା ମୋ ପାଇଁ ଅଧିକ କଠିନ ଥିଲା । ପ୍ରଥମ ଦିନ ମୋତେ ବହୁତ କଷ୍ଟ ହୁଏ । ଏଭଳି ପରିସ୍ଥିତିରେ ଖେଳିବାକୁ ପଡିଲା । ମୁଁ ପ୍ରକୃତି ବିରୋଧରେ ଯାଇପାରିବିନି କିନ୍ତୁ କେବଳ କହିବି ମୁଁ ପୁଅ ହୋଇଥିଲେ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡିନଥାନ୍ତା ।