ବିଶ୍ୱର ସମସ୍ୟା ୟୁରୋପର ସମସ୍ୟା ନୁହେଁ: ଜୟଶଙ୍କର
ଜୟଶଙ୍କରଙ୍କ ଏଭଳି ସ୍ପଷ୍ଟ ବୟାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି…
ନୂଆଦିଲ୍ଲୀ : ୟୁରୋପକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ଧରଣର ବୟାନ ଦେଇଛନ୍ତି । ଗ୍ଲୋବ ସେକ ୨୦୨୨ ମଞ୍ଚରୁ ଜୟଶଙ୍କର ୟୁରୋପକୁ ତାହାର ଘରେ ହିଁ ଆଇନା ଦେଖାଇଛନ୍ତି । ଜୟଶଙ୍କର କହିଛନ୍ତି ୟୁରୋପକୁ ଏହି ମାନସିକତାରୁ ବାହାରକୁ ଆସିବାକୁ ହେବ ଯେ ୟୁରୋପର ସମସ୍ୟା ବିଶ୍ୱର ସମସ୍ୟା ଏବଂ ବିଶ୍ୱର ସମସ୍ୟା ୟୁରୋପର ସମସ୍ୟା ନୁହେଁ । ଜୟଶଙ୍କରଙ୍କ ଏଭଳି ସ୍ପଷ୍ଟ ବୟାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଲେଖିଛନ୍ତି ଜୟଶଙ୍କର ନିଜର ବୟାନ ଦ୍ୱାରା ପଣ୍ଡିତ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଅତ୍ୟନ୍ତ ସ୍ପଷ୍ଟ ଢଙ୍ଗରେ ବୁଝାଇ ଦେଇଛନ୍ତି । ସେହିପରି ତାଙ୍କ ଟିପଣୀକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଚିନ୍ତାଧାରାର ସଂପ୍ରସାରଣ ବୋଲି କୁହାଯାଉଛି ।