ହାତୀପଲ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ ବୋଲି ଜଣାଯାଇଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ରାତି ପାଖାପାଖି ଗୋଟାଏ ବେଳେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା । ସେଠାରେ ଥିବା ଏକ ମଦଭାଟିର ମହୁଲି ବାସ୍ନା ପାଇ ହାତୀପଲ ପହଞ୍ଚି ଥିଲେ । ଭାଟିରେ ଯୁବକ ଜଣଙ୍କ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି ।

ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହାସହ ଗତକାଲି ରାତିରେ ହାତୀପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି ।