ଅଗ୍ନିପଥ’କୁ ତୀବ୍ର ବିରୋଧ

ବକ୍ସାର ଜିଲ୍ଲାରେ ୧୦୦ ଜଣ ଯୁବକ ରେଲୱେ ଟ୍ରାକରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ କରି ଆନ୍ଦୋଳନ ରାଜରାସ୍ତାକୁ ଆସିଛି । ଏହି ଯୋଜନାରେ ସୈନ୍ୟମାନଙ୍କ ନିଯୁକ୍ତି ଚୁକ୍ତିଭିତ୍ତିକ ଥିବା ବେଳେ ଚାକିରିର ଅବଧି ୪ ବର୍ଷ ଥିବାରୁ ଏହାକୁ ଜୋରଦାର ବିରୋଧ କରାଯାଛି । ଫଳରେ ଦେଶରେ ବିଭିନ୍ନ ସ୍ଥାନରେ ବିକ୍‌ଷୋଭ ପ୍ରଦର୍ଶନ କରାଯାଇଛି । କେତେକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି । ସେନାରେ ଆଶାୟୀ ଥିବା କେତେକ ଯୁବକ ଆନ୍ଦୋଳନ କରିଛନ୍ତି । ବିହାରାର ବକ୍ସାର ଜିଲ୍ଲାରେ ୧୦୦ ଜଣ ଯୁବକ ରେଲୱେ ଟ୍ରାକରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

୪ ବର୍ଷ ପରେ ସେମାନେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି । ମୁଜାଫୁରଟାଉନର ଶତାଧିକ ସେନା ଅଶାୟୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେହିପରି ଜୟପୁରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ୧୫୦ ଜଣ ଲୋକ ଆଜମୀର-ଦିଲ୍ଲୀ ରାଜପଥକ ଅବରୋଧ କରିଛନ୍ତି । ସୂଚନା ଅନପୁଯାୟୀ ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ପ୍ରାୟ ୪୫ ହଜାର ଲୋକଙ୍କୁ ସେନାରେ ନିଯୁକ୍ତି ମିଳିବ ।

ସେମାନଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବ । ଏହି ସମୟ ମଧ୍ୟରେ ସେମାନଙ୍କୁ ମାସିକ ଦରମା ୩୦,୦୦୦-୪୦,୦୦୦ ମିଳିବ ଏବଂ ଏଥିସହ ଅନ୍ୟ ଭତ୍ତା ମଧ୍ୟ ମିଳିବ । ସେମାନଙ୍କୁ ମେଡିକାଲ ଏବଂ ଇନସୁରାନ୍ସ ସୁବିଧା ମଧ୍ୟ ମିଳିବ । ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ସୈନିକ ସେନାରେ ରହିବେ ଏବଂ ଅନ୍ୟମାନଙ୍କୁ ସେନାରୁ ବାହାର କରି ଦିଆଯିବ । ଯାହାକୁ ନେଇ ତୀବ୍ର ବିରୋଧ କରାଯାଇଛି ।