କାହାରିକୁ ଗୋଟିଏ ଇଞ୍ଚ ବି ଜମି ଦେବୁନ: ରାଜନାଥ ସିଂ
ସରକାର କୌଣସି ବି ପରିସ୍ଥିତିରେ ଦେଶର ଗୌରବ ଏବଂ ପ୍ରତିଷ୍ଠାକୁ ନେଇ ସାଲିସ କରିବେ ନାହିଁ…
ନୂଆଦିଲ୍ଲୀ: ଭାରତ ନିଜ ଅଧିକୃତ ସୀମାରୁ କାହାରିକୁ ଇଞ୍ଚ ବି ଜମି ଦେବନି । ଚୀନକୁ ଆକ୍ଷେପ କରି ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଲାଗିରହିଥିବା ଜମି ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହାକୁ ନେଇ ରାଜନାଥ କହିଛନ୍ତି, ପୂର୍ବ ଲଦାଖ ସୀମାରେ ଲାଗିରହିଥିବା ବିବାଦ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବ । ଚୀନକୁ ଟାର୍ଗେଟ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ତାର ଏକତା ସଂପ୍ରଭୁତା ଏବଂ କ୍ଷତ୍ରୀୟ ଅଖଣ୍ଡତାକୁ ବିପଦ ସୃଷ୍ଟି କରୁଥିବା କୌଣସି ବି ବ୍ୟକ୍ତିକୁ ମୁହଁତୋଡ ଜବାବ ଦେବ । କାରଣ ଭାରତ ଏବେ ଆଉ ପୂର୍ବଭଳି ଦୁର୍ବଳ ହୋଇନାହିଁ । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ଭାରତ ପୁରାପୁରି ଭାବେ ପ୍ରସ୍ତୁତ ।
ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମୁଁ ଆଶ୍ୱସନା ଦେବାକୁ ଚାହୁଁଛି ଯେ, ଯେପର୍ଯ୍ୟନ୍ତ ଆମେ ସରକାରରେ ଅଛୁ ସେ ପର୍ଯ୍ୟନ୍ତ ଚୀନ କବଜାକୁ ଗୋଟିଏ ଇଞ୍ଚ ବି ଜମି ଯିବାକୁ ଦେବୁନି । ସରକାର କୌଣସି ବି ପରିସ୍ଥିତିରେ ଦେଶର ଗୌରବ ଏବଂ ପ୍ରତିଷ୍ଠାକୁ ନେଇ ସାଲିସ କରିବେ ନାହିଁ । ଏବେ ପାକିସ୍ତାନ ମଧ୍ୟ ଅସ୍ତ୍ରବିରତୀ ଉଲ୍ଲଂଘନ କରିବାକୁ ସାହସ କରିପାରୁ ନାହିଁ । ପୂର୍ବରୁ ଅନେକ ଥର ପାକିସ୍ତାନ ସହ ସାମ୍ନାସାମ୍ନୀ ଆଲୋଚନା ପରେ ବି ଅସ୍ତ୍ରବିରତୀ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଥିଲା ।