ରୋହିତଙ୍କୁ ଧୋକା ଦେଉଛି ତାଙ୍କ ଭାଗ୍ୟ !

ଭାରତ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ..

ନୂଆଦିଲ୍ଲୀ : ଭାରତ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ । ଏହି ଟେଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଗତ ବର୍ଷ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲା । ହେଲେ କରୋନା କାରଣରୁ ଶେଷ ମ୍ୟାଚ ଖେଳା ଯାଇ ପାରିନଥିଲା । ବର୍ତ୍ତମାନ ଭାରତର ନଜର ଶେଷ ଟେଷ୍ଟ ଜିତି ଇତିହାସ ରଚିବା ଉପରେ ରହିଛି । ହେଲେ ଏହା ପୂର୍ବରୁ ଚିନ୍ତାର କାରଣ ପାଲଟିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଏବେ ସଙ୍ଗରୋଧରେ ରହିଛନ୍ତି ।

ଏଜବାଷ୍ଟନ ଟେଷ୍ଟ ରୋହିତ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଯଦି ରୋହିତ ଖେଳିବେ ନାହିଁ ତେବେ ଭାରତୀୟ ଦଳର ନେତୃତ୍ୱ କିଏ ନେବ ଏବଂ ଦଳର ଓପନିଂ କିଏ କରିବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ରୋହିତ ଶର୍ମାଙ୍କ କଥା କୁହାଯିବ ତେବେ ଏମିତି ଅନେକ ଥର ହୋଇଛି ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାଗ୍ୟ ତାଙ୍କୁ ଧୋକା ଦେଇଛି । କେତେବେଳେ ରୋହିତ ଅନଫିଟ୍‌ ରହୁଛନ୍ତି ତ ଆଉ କେତେବେଳେ ଖରାଫ ଫର୍ମ ତାଙ୍କ ଲୟ ବିଗାଡି ଦେଇଛି । ଏମିତି ଘଟଣା ଅଧିକାଂଶ ସେହି ସମୟରେ ଘଟୁଛି ଯେତେବେଳେ ଟିମ ଇଣ୍ଡିଆ କୌଣସି ବଡ ମ୍ୟାଚ କିମ୍ବା ସିରିଜ ଖେଳିବାକୁ ପ୍ରସ୍ତୁତି କରୁଥିବ ।