ୟୁକ୍ରେନ ପାଇଁ ବାହାରିଲେ ଜି-୭ ଦେଶ

ରୁଷ-ୟୁକ୍ରେନ ମଧ୍ୟରେ ଆଜକୁ ୧୨୪ ଦିନ ହେଲା ଯୁଦ୍ଧ….

ମୁମ୍ବାଇ: ରୁଷ-ୟୁକ୍ରେନ ମଧ୍ୟରେ ଆଜକୁ ୧୨୪ ଦିନ ହେଲା ଯୁଦ୍ଧ ଲାଗିରହିଛି । ଏହା ଥମିବା ନାଁ ଧରୁନାହିଁ କିମ୍ବା କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚୁନାହିଁ । ଏଭଳି ସ୍ଥିତିରେ ୟୁକ୍ରେନକୁ ଆମେରିକା ଏୟାର ମିସାଇଲ ବ୍ୟବସ୍ଥା’ ଯୋଗାଇବା ପାଇଁ ଯୋଜନା କରୁଛି । ଚଳିତ ସପ୍ତାହରେ ଆମେରିକା ଏ ନେଇ ଘୋଷଣା କରିପାରେ । ଏହାବ୍ୟତୀତ ୟୁକ୍ରେନକୁ ଆମେରିକା ଅତିରିକ୍ତ ତୋପ, କାଉଣ୍ଟର ବ୍ୟାଟେରି ରାଡାର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଦେବ ବୋଲି ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରୁଷ୍‌ର ତମାମ ଚେତାବନୀ ସତ୍ତେ୍ୱ ଆମେରିକା ସହାୟତା ଜାରି ରଖିବ ବୋଲି କହିଛି ।

ସେପଟେ ଜର୍ମାନୀରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ୟୁକ୍ରେନକୁ ସହଯୋଗ ଯୋଗାଇବା ନେଇ ମତପ୍ରକାଶ ପାଇଛି । ଏହି ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭର୍ଚ୍ଚ଼ୁଆଲରେ ଯୋଗଦେଇ ଅଧିକ ସାମରିକ ସହାୟତା ଲୋଡ଼ିଥିଲେ । ଜେଲେନସ୍କିଙ୍କ ସହ ବୈଠକ ପରେ ଜି-୭ ରାଷ୍ଟ୍ର ନେତାମାନଙ୍କ ତରଫରୁ ଏକ ମିଳିତ ବିବୃତି ଜାରି କରାଯାଇଥିଲା । ୟୁକ୍ରେନକୁ ପ୍ରତିରକ୍ଷା ଓ ମାନବୀୟ ସହାୟତା ଯୋଗାଣ ଜାରି ରହିବା ନେଇ ଏଥିରେ ସ୍ପଷ୍ଟ କରାଯାଇଥିଲା ।